FeaturedGeneralLatestSports

ବିଶ୍ବକପ୍‌ ୨୦୨୩ ଫାଇନାଲ୍‌: କଡା ସୁରକ୍ଷା ବଳୟ ଭାଙ୍ଗି ପଡ଼ିଆକୁ ପଶିଲେ ପାଲେଷ୍ଟାଇନ ସମର୍ଥକ

ଅହମଦାବାଦ (ସଂକେତ ଟିଭି): ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭାରତ ଓ ଅଷ୍ଟ୍ରେଲିଆ ଆଇସିସି ବିଶ୍ୱକପ ଫାଇନାଲ ମ୍ୟାଚ୍‌ ଖେଳାଯାଉଥିବା ବେଳେ ଜଣେ ବ୍ୟକ୍ତି ହଠାତ୍‌ ପଡିଆ ଭିତରେ ପଶି ଯିବାରୁ ଖେଳରେ ବାଧା ସୃଷ୍ଟି ହୋଇଥିଲା । ଫଳରେ ଏହି ହାଇପ୍ରୋଫାଇଲ୍‌ ମ୍ୟାଚ୍‌ରେ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଛି । ସେ କେବଳ ପଡିଆ ଭିତରକୁ ପଶିନଥିଲେ ବରଂ ବ୍ୟାଟିଂ କରୁଥିବା ବିରାଟ କୋହଲିଙ୍କ କାନ୍ଧରେ ହାତ ପକାଇଥିଲେ। ଯାହା ଫରେ କିଛି ସମୟ ଖେଳକୁ ବନ୍ଦ କରାଯାଇ ସୁରକ୍ଷା କର୍ମୀ ସେହି ବ୍ୟକ୍ତିଙ୍କୁ ପଡିଆରୁ ବାହାରକୁ ନେଇଥିଲେ।

ସବୁଠାରୁ ବଡ଼ କଥା ହେଲା ବ୍ୟକ୍ତି ଜଣକ ପିନ୍ଧିଥିବା ଟି-ସାର୍ଟ ଆଗରେ ଷ୍ଟପ୍ ବମିଂ ପାଲେଷ୍ଟାଇନ ଏବଂ ପଛରେ ଫ୍ରି ପାଲେଷ୍ଟାଇନ ଲେଖା ହୋଇଥିଲା । ପାଲେଷ୍ଟାଇନ ପତାକା ଧରି କୋହଲିଙ୍କ କାନ୍ଧରେ ହାତ ପକାଇଥିଲେ ଉକ୍ତ ବ୍ୟକ୍ତି। ତେବେ ବର୍ତ୍ତମାନ ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ଯୁଦ୍ଧ ଚାଲିଥିବା ବେଳେ ଏହି ଯୁବକ ଜଣଙ୍କ ବିଶ୍ବର ଦୃଷ୍ଟି ଆକର୍ଷଣ କରିବା ପାଇଁ ଏପରି କରିଥିବା କୁହାଯାଉଛି। କାରଣ ଆଜିର ମ୍ୟାଚକୁ ସମଗ୍ର ବିଶ୍ବର କ୍ରିକେଟ ପ୍ରେମୀ ଦେଖୁଥିବେ। ଏହି ସମୟରେ ସେ ପାଲେଷ୍ଟାଇନକୁ ମୁକ୍ତ କରିବାର ସ୍ଲୋଗାନ ମଧ୍ୟ ତାଙ୍କ ଟି-ସାର୍ଟ ଓ ପତାକା ସହ ପଡିଆକୁ ପଶି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

ତେବେ ଏତେ ସୁରକ୍ଷା ବ୍ୟବସ୍ଥା ସତ୍ତ୍ବେ କିପରି ଜଣେ ପ୍ରଶଂସକ ସୁରକ୍ଷା କର୍ଡନକୁ ଭାଙ୍ଗି ପଡ଼ିଆକୁ ଯିବାରେ ସଫଳ ହେଲେ, ସେନେଇ ପ୍ରଶ୍ନ ଉଠିଛି । କାରଣ ଆଜି ଫାଇନାଲ ମ୍ୟାଚରେ ପ୍ରାୟ ୧ ଲକ୍ଷ ୩୦ ହଜାରକରୁ ଅଧିକ ପ୍ରଶଂସକ ଷ୍ଟାଡିୟମରେ ଥିବା ବେଳେ ବହୁ ଭିଭିଆଇପି ମଧ୍ୟ ଉପସ୍ଥିତ ଅଛନ୍ତି। ଏଭଳି ପରିସ୍ଥିତିରେ ସୁରକ୍ଷା ବଳୟ ଭେଦି ଜଣେ ପଡିଆ ଭିତରକୁ ପଶିବା ପୁଲିସର ସୁରକ୍ଷାକୁ ନେଇ ପ୍ରଶ୍ନ ସୃଷ୍ଟି କରୁଛି।