ଗୋଟିଏ ଟ୍ରାକରେ ଆସିଗଲା ତିନୋଟି ଟ୍ରେନ, ଅଳ୍ପକେ ଟଳିଗଲା ବଡ ଦୁର୍ଘଟଣା
ରାଉରକେଲା (ସଂକେତ ଟିଭି): ଗୋଟିଏ ଟ୍ରାକ୍କୁ ଆସିଗଲା ତିନୋଟି ଯାତ୍ରୀବାହୀ ଟ୍ରେନ୍ । ପାଖାପାଖି ୧୦୦ ମିଟର ଦୂରତାରେ ଦୁଇଟି ଟ୍ରେନ୍ ସାମ୍ନାସାମ୍ନି ହୋଇଛନ୍ତି । ଅଳ୍ପକେ ଟଳିଗଲା ବଡ ଦୁର୍ଘଟଣା । ରାଉରକେଲାରୁ ସାମ୍ନାକୁ ଆସିଛି ଏଭଳି ଏକ ଘଟଣା ।
ଝାରସୁଗୁଡ଼ା ହାଟିଆ ମେମୁ ସହ ରାଉରକେଲା-ଝାରସୁଗୁଡ଼ା ପାସେଞ୍ଜର ଟ୍ରେନ୍ ସାମ୍ନାସାମ୍ନି ହୋଇଛି । ସେହି ଟ୍ରାକ୍ରେ ତୃତୀୟ ଟ୍ରେନ୍ ବନ୍ଦେ ଭାରତ ଆସୁଥିଲା । ରାଉରକେଲା ରେଳ ଷ୍ଟେସନରୁ ୨୦୦ ମିଟର ଦୂରତାରେ ଏଭଳି ଘଟଣା ଘଟିଛି । ତେବେ ଅଟୋମେଟିକ ସିଗନାଲ ଯୋଗୁଁ ଏପରି ହୋଇଥିବା ଜଣାପଡିଛି । କୌଣସି ଦୁର୍ଘଟଣାର ଆଶଙ୍କା ନାହିଁ, କିମ୍ଵା କୌଣସି ଭୟଭୀତ ହେବାର ନାହିଁ । ଅଟୋମେଟିକ ସିଗନାଲ ଯୋଗୁଁ ଏପରି ହେଉଥିବା ରାଉରକେଲା ଷ୍ଟେସନ ମ୍ୟାନେଜର ସୂଚନା ଦେଇଛନ୍ତି ।
ରାଉରକେଲା ମେମୁ ସହ ଝାରସୁଗୁଡା ଟ୍ରେନ୍ ମୁହାଁମୁହିଁ ହେବା ପୂର୍ବରୁ ଏହାକୁ ରୋକାଯାଇପାରିଛି । ଉଭୟ ଟ୍ରେନ୍ ମଧ୍ୟରେ ମାତ୍ର ୧୦୦ ମିଟର ଦୂରତା ଥିଲା । ଏହା ପଛକୁ ତୃତୀୟ ଟ୍ରେନ୍ ଭାବେ ବନ୍ଦେ ଭାରତ ଆସୁଥିଲା । କିନ୍ତୁ ବଡ ଦୁର୍ଘଟଣା ପୂର୍ବରୁ ଏହାକୁ ରୋକି ପାରିଛି ରେଳ ବିଭାଗ ।