ଆସିଲା ଟନେଲରେ ଫସିଥିବା ୪୧ ଶ୍ରମିକଙ୍କ ଭିଡିଓ
ଡେରାଡୁନ (ସଂକେତ ଟିଭି): ଉତ୍ତରାଖଣ୍ଡରେ ଟନେଲ୍ ଭିତରେ ଫସି ରହିଥିବା ୪୧ ଶ୍ରମିକଙ୍କ ଭିଡିଓ ସାମ୍ନାକୁ ଆସିଛି । ଏହି ଭିଡିଓରେ ଫସି ରହିଥିବା ଶ୍ରମିକମାନେ କେମିତି ଜୀବନ ସହ ସଂଘର୍ଷ କରୁଛନ୍ତି ତାହା ଦେଖିବାକୁ ମିଳିଛି ।
ସୂଚନା ଅନୁସାରେ, ସୋମବାର ଦିନ ଟନେଲ ଭିତରେ ୬ ଇଞ୍ଚ ଚଉଡ଼ା ବିକଳ୍ପ ପାଇପ୍ ଭର୍ତ୍ତି କରାଯାଇଥିଲା, ଯାହା ମାଧ୍ୟମରେ ବହୁ ପରିମାଣର ଖାଦ୍ୟ ପଠାଯାଇଥିଲା । ଏହି ସମୟରେ ଟନେଲ ଭିତରେ ଥିବା ଶ୍ରମିକଙ୍କ ଅବସ୍ଥା ଜାଣିବା ପାଇଁ ପାଇପ ମାଧ୍ୟମରେ ଟନେଲକୁ ଏକ କ୍ୟାମେରା ପଠାଯାଇଛି । ଏଥିରେ ଦେଖିବାକୁ ମିଳିଛି ଯେ ଶ୍ରମିକମାନେ କେଉଁ ପରିସ୍ଥିତିରେ ଟନେଲ୍ ମଧ୍ୟରେ ରହିଛନ୍ତି । ଏହି ସମୟରେ ରେସକ୍ୟୁ ଅପରେସନ୍ରେ ଯୋଡି ହୋଇଥିବା ଅଧିକାରୀମାନେ ଓ୍ବକିଟକି ଜରିଆରେ ଶ୍ରମିକଙ୍କ ସହ କଥା ହୋଇଛନ୍ତି ।
ଜାତୀୟ ରାଜପଥ ଓ ଭିତ୍ତିଭୂମି ବିକାଶ ନିଗମ ଲିମିଟେଡ୍ (ଏନ୍ଏଚ୍ଆଇଡିସିଏଲ୍) ଅଧୀନରେ ଏହି ଟନେଲ୍ ନିର୍ମାଣ କରାଯାଉଛି। ଏହା କେନ୍ଦ୍ର ସରକାରଙ୍କ ମହତ୍ତ୍ୱାକାଂକ୍ଷୀ ଚାରିଧାମ ସବୁଦିନିଆ ସଡ଼କ ପ୍ରକଳ୍ପର ଏକ ଅଂଶ।ଗତ ନଭେମ୍ବର ୧୨ ତାରିଖରୁ ନିର୍ମାଣାଧୀନ ସିଲ୍କିୟାରା ଟନେଲ୍ ଭିତରେ ଶ୍ରମିକମାନେ ଫସି ରହିଛନ୍ତି । ନଭେମ୍ବର ୧୨ରେ ଟନେଲର ଏକ ଅଂଶ ଭୁଶୁଡି ପଡିଥିଲା ଏବଂ ସେହି ଦିନଠାରୁ ୪୧ ଜଣ ଶ୍ରମିକ ଏହା ଭିତରେ ଫସି ରହିଥିଲେ। ଏହି ଶ୍ରମିକମାନଙ୍କୁ ପାଇପ୍ ମାଧ୍ୟମରେ ଖାଦ୍ୟ, ଜଳ ଏବଂ ଅମ୍ଳଜାନ ଯୋଗାଇ ଦିଆଯାଉଛି।