FeaturedGeneralLatest

କାର୍‌ ଭିତରୁ ନଗଦ ୫ କୋଟି ଟଙ୍କା ଜବତ କଲା ପୁଲିସ

ହାଇଦ୍ରାବାଦ (ସଂକେତ ଟିଭି): ତେଲେଙ୍ଗାନା ବିଧାନସଭା ନିର୍ବାଚନ ନଭେମ୍ବର୩୦ ତାରିଖରେ ହେବାକୁ ଥିବାବେଳେ ତେଲେଙ୍ଗାନା ପୁଲିସ ରଙ୍ଗାରେଡ୍ଡିର ଗଚ୍ଚିବାଉଲି ଅଞ୍ଚଳରୁ ଦୁଇଟି କାର୍‌ ଭିତରୁ ୫ କୋଟି ଟଙ୍କା ଜବତ କରିଛି । ଏନେଇ ପୁଲିସ ୭ଜଣ ଲୋକଙ୍କୁ ଅଟକ ରଖିଛି। ସେହିପରି, ଭିନ୍ନ ଏକ ଘଟଣାରେ ଗୁରୁବାର ଦିନ ହାଇଦ୍ରାବାଦ ଅନ୍ତର୍ଗତ ହୟାତ୍‌ନଗର ଥାନା ଅଞ୍ଚଳରୁ ଗୋଟାଏ କାର୍‌ରୁ ପୁଲିସ ନଗଦ ୨ କୋଟି ଟଙ୍କା ଜବତ କରିଛି।

ବିଧାନସଭା ନିର୍ବାଚନ ଆଉ ଏକ ସପ୍ତାହ ଥିବାରୁ ସମଗ୍ର ରାଜ୍ୟରେ ପୁଲିସ ଯାଞ୍ଚ ବ୍ୟବସ୍ଥା କଡ଼ାକଡ଼ି କରିଛି। ଅକ୍ଟୋବର ୯ ତାରିଖରୁ ଆଚରଣ ସଂହିତା ଲାଗୁ ହେବା ପରଠାରୁ ପୁଲିସ ଗାଡ଼ି ଯାଞ୍ଚ କରିବା କାର୍ଯ୍ୟ କଠୋର କରିଛି। ଭାରତର ନିର୍ବାଚନ କମିସନ୍‌ର ଆଦର୍ଶ ଆଚରଣ ସଂହିତା ଅନୁସାରେ, ନଗଦ ଟଙ୍କା ପରିବହନ ଦଣ୍ଡନୀୟ ଅପରାଧ ଅଟେ।

ଏହା ପୂର୍ବରୁ, ସୋମବାର ଦିନ ନିର୍ବାଚନ କମିଶନ୍‌ କହିଥିଲା, ନିର୍ବାଚନ ହେବାକୁ ଥିବା ୫ଟି ରାଜ୍ୟରୁ ଏଯାବତ୍‌ ୧,୭୬୦ କୋଟି ଟଙ୍କା ମୂଲ୍ୟର ମାଗଣା ବଣ୍ଟନ ପାଇଁ ଉଦ୍ଦିଷ୍ଟ ସାମଗ୍ରୀ, ଡ୍ରଗ୍‌, ନଗଦ ଟଙ୍କା, ମଦ ଓ ଦାମିକା ଧାତୁ ଜବତ କରାଗଲାଣି। ଏସବୁ ଭୋଟର୍‌ମାନଙ୍କୁ ପ୍ରଲୋଭିତ କରିବା ଉଦ୍ଦେଶ୍ୟରେ ଅଣାଯାଇଥିଲା।