FeaturedLatestNews

ଘାଟିରେ ଓଲଟିଲା ସିମେଣ୍ଟ ବୋଝେଇ ଟିପ୍ପର, ୫ ମୃତ

ମାଲକାନଗିରି (ସଂକେତ ଟିଭି): ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳର ହନ୍ତାଳଗୁଡ଼ା ଘାଟିରେ ଏକ ଟିପର ଓଲଟି ୫ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ସ୍ୱାଭିମାନ ଅଞ୍ଚଳରେ ରାସ୍ତାକାମ ପାଇଁ ଚିତ୍ରକୋଣ୍ଡାରୁ ସିମେଣ୍ଟ ଓ ଲୁହା ଛଡ଼ ନେଇ ଟିପରଟି ଯାଉଥିଲା। ଆହତ ଶ୍ରମିକଙ୍କୁ ବଡପଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ବିଏସଏଫ୍ ଯବାନ୍ ଉଦ୍ଧାର କାର୍ଯ୍ୟରେ ଲାଗିଥିବା ଜଣାପଡିଛି ।

ସୂଚନା ଅନୁସାରେ, ଆଜି ସକାଳେ ଏକ ଟିପ୍ପର ଲୁହା ରଡ଼,ସିମେଣ୍ଟ ବୋଝେଇ କରି ୧୨ରୁ ଅଧିକ ଶ୍ରମିକଙ୍କୁ ନେଇ ଚିତ୍ରକୋଣ୍ଡାରୁ ଯୋଡାମ୍ବ ଯାଉଥିଲା। । ଏହି ସମୟରେ ଭାରସାମ୍ୟ ହରାଇ ଟିପ୍ପରଟି ହନ୍ତାଳଗୁଡା ଘାଟିରେ ଓଲଟି ପଡିଥିଲା । ଫଳରେ ଘଟଣାସ୍ଥଳରେ ୫ ଜଣଙ୍କ ଜୀବନ ଚାଲି ଯାଇଥିବା ବେଳେ ୭ ଶ୍ରମିକ ଗୁରୁତର ହୋଇଛନ୍ତି। ସେମାନଙ୍କୁ ପ୍ରଥମେ ବଡପଡା ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ମୃତ ଓ ଆହତ ଶ୍ରମିକମାନେ ମାଲକାନଗିରି ଜିଲ୍ଲାର ବୋଲି ଜଣାପଡିଛି ।

ଏହି ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ତିନି ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି । ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ।