CrimeFeaturedLatestNews

ବୈପାରୀଗୁଡା ଥାନାଧିକାରୀଙ୍କ ଘରୁ ମିଳିଲାଣି ନଗଦ ୩୭ ଲକ୍ଷ ଟଙ୍କା

ଭୁବନେଶ୍ବର (ସଂକେତ ଟିଭି): ବୈପାରିଗୁଡା ଥାନା ଆଇଆଇସି ସୁଶାନ୍ତ ଶତପଥୀଙ୍କ ଘର, କ୍ବାର୍ଟର୍ସରୁ ମୋଟ୍ ୩୭ ଲକ୍ଷ ୨୭ହଜାର ଟଙ୍କା ମିଳିଲାଣି । କଟକ ବକ୍ସିବଜାର ସ୍ଥିତ ସରକାରୀ ବାସଭବନରୁ ୨୯ ଲକ୍ଷ ୭୭ ହଜାର ଟଙ୍କା ମିଳିଛି । ସୋମବାର ବୈପାରୀଗୁଡ଼ା ଘର ଓ ଅଫିସ୍‌ରୁ ପ୍ରାୟ ୭.୫ ଲକ୍ଷ ମିଳିଥିଲା । ଏଥିରେ ୫ଶହ ଟଙ୍କିଆ, ଶହେ ଓ ଦୁଇ ଶହ ଟଙ୍କିଆ ନୋଟ୍ ଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି।

ସୁଶାନ୍ତ ଶତପଥୀଙ୍କ ଘର, କ୍ବାର୍ଟର୍ସରୁ ଏତେ ଟଙ୍କା ଦେଖି ରେଡ କରୁଥିବା ଭିଜିଲାନ୍ସ ଅଧିକାରୀବି ତାଜୁବ ହୋଇଯାଇଛନ୍ତି। ଗତକାଲି ଭିଜିଲାନ୍ସ ୭ ଲକ୍ଷ ୫୦ ହଜାର ଟଙ୍କା ଜବତ କରିଥିଲା ବେଳେ ଆଜି ସକାଳେ ଆଇଆଇସିଙ୍କ କଟକ ବକ୍ସିବଜାର ସ୍ଥିତ କ୍ୱାର୍ଟର୍ସରେ ଚଢ଼ାଉ କରି ୨୯ ଲକ୍ଷ ୭୭ ହଜାର ଜବତ କରିଛି।

ସୂଚନାଯୋଗ୍ୟ, ଗତକାଲି ରାତିରେ ସୁଶାନ୍ତ ବୈପାରୀଗୁଡ଼ାରୁ ନିଜ କଟକ ସ୍ଥିତ ସରକାରୀ ବାସଭବନକୁ ଏକ ଘରୋଇ ବସ୍ ଯୋଗେ ଆସୁଥିଲେ। ଜୟପୁର ସ୍ଥିତ ଟାଙ୍କୁଆ ନିକଟରେ ସୁଶାନ୍ତଙ୍କୁ ଧରିଥିଲା ଭିଜିଲାନ୍ସ। ତାଙ୍କ ପାଖରୁ ୨ ଲକ୍ଷ ୭୦ ହଜାର ଟଙ୍କା ଜବତ କରିଥିଲା ଭିଜିଲାନ୍ସ। ଏତେ ଟଙ୍କା କେଉଁଠାରୁ ଆଣିଲେ ବୋଲି ପ୍ରଶ୍ନର ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ ଆଇଆଇସି ।

ପରେ ବୈପାରିଗୁଡା ଥାନାରେ ତାଙ୍କ ଅଫିସ ଚାମ୍ବରରୁ ୧ ଲକ୍ଷ ୮୦ ହଜାର ଟଙ୍କା ଓ ସରକାରୀ ବାସଭବନରୁ ୩ ଲକ୍ଷ ଟଙ୍କା ଖାନତଲାସୀ ବେଳେ ମିଳିଥିଲା । ତାଙ୍କଠାରୁ ଗତକାଲି ମୋଟ ସାଢେ ୭ ଲକ୍ଷ ଟଙ୍କା ଜବତ କରାଯାଇଥିଲା ଆଜି ଭିଜିଲାନ୍ସ ପକ୍ଷରୁ ଆଇଆଇସିଙ୍କ ସରକାରୀ କ୍ବାର୍ଟର୍ସ ଓ ପୈତୃକ ଘରେ ମଧ୍ୟ ଚଢ଼ାଉ କରାଯାଉଛି। ଏହାସହ ସୁଶାନ୍ତଙ୍କୁ ଭିଜିଲାନ୍ସ ଟିମ୍ ଅଟକ ରଖି ପଚରାଉଚରା କରୁଛି। ଆଇଆଇସି ସୁଶାନ୍ତ କୁମାରଙ୍କ ନାଁରେ ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଥିଲା। ଯାହାପରେ ଗତକାଲି ଭିଜିଲାନ୍ସ ତାଙ୍କୁ ଧରିଥିଲା।