FeaturedGeneralLatestPolitics

୩ ରାଜ୍ୟରେ ସରକାର ଗଢିବ ବିଜେପି, ତେଲେଙ୍ଗାନାରେ କଂଗ୍ରେସ, ମୋଦି ଓ ରାହୁଲ ଦେଲେ ପ୍ରତିକ୍ରିୟା

ନୂଆଦିଲ୍ଲୀ (ସଂକେତ ଟିଭି): ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ ଏବଂ ତେଲେଙ୍ଗାନା ବିଧାନସଭା ନିର୍ବାଚନର ଭୋଟ ଗଣତି ପ୍ରାୟତଃ ଶେଷ ହୋଇଛି । ରାଜସ୍ଥାନ, ମଧ୍ଯପ୍ରଦେଶ ଓ ଛତିଶଗଡରେରେ ବିଜେପି ବହୁମତ ହାସଲ କରିଥିବାବେଳେ ତେଲେଙ୍ଗାନାରେ କଂଗ୍ରେସ ବହୁମତ ହାସଲ କରିଛି।

sankettv.in – 1

ରାଜସ୍ଥାନରେ କଂଗ୍ରେସ ପରାଜୟ ସ୍ୱୀକାର କରିଛି। ବିଜେପି ୧୦୪ ସିଟ୍‌ରେ ବଜୟୀ ହୋଇଥିବା ବେଳେ ୧୧ ସିଟ୍‌ରେ ଆଗୁଆ ରହିଛି। କଂଗ୍ରେସର ପରାଜୟ ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ରାଜସ୍ଥାନ ଅଶୋକ ଗେହଲଟ୍। ରାଜଭବନ ଯାଇ ରାଜ୍ୟପାଳ କଲରାଜ ମିଶ୍ରଙ୍କୁ ସେ ତାଙ୍କର ଇସ୍ତଫାପତ୍ର ପ୍ରଦାନ କରିଛନ୍ତି।

ମଧ୍ୟପ୍ରଦେଶରେ କଂଗ୍ରେସର ଶୋଚନୀୟ ପରାଜୟ ପାଇଁ କମଲ ନାଥ ପ୍ରତିକ୍ରିୟା ଦେଇଛନ୍ତି। ଜନାଦେଶକୁ ସ୍ୱୀକାର କରିବା ସହ ବିଜୟ ପାଇଁ ସେ ବିଜେପିରୁ ବଧେଇ ଜଣାଇଛନ୍ତି। ବିପକ୍ଷ ଦଳରେ ବସିବା ପାଇଁ ଜନତା ଯେଉଁ ଦାୟିତ୍ୱ ଦେଉଛନ୍ତି ତାକୁ ଆମେ ନିର୍ବାହ କରିବୁ ବୋଲି କମଲ ନାଥ କହିଛନ୍ତି।

ମଧ୍ୟପ୍ରଦେଶ ଛତିଶଗଡ଼ ଓ ରାଜସ୍ଥାନରେ ବିଜେପି ସରକାର ଗଢ଼ିବାକୁ ଯାଉଥିବାବେଳେ ଏକମାତ୍ର ତେଲେଙ୍ଗାନାରେ କଂଗ୍ରେସ ପୂର୍ଣ୍ଣ ବହୁମତ ସହ ସରକାର ଗଠନ କରିବାକୁ ଯାଉଛି । ଦୀର୍ଘ ୧୦ ବର୍ଷ ଧରି ଏଠାରେ ଶାସନ କରୁଥିବା ବିଆର୍‌ଏସ୍‌ (ଭାରତ ରାଷ୍ଟ୍ରୀୟ ସମିତି) ଭୋଗିଛି ଅପ୍ରତ୍ୟାଶିତ ପରାଜୟ । ତେବେ ଏନେଇ ପ୍ରେସ୍‌ମିଟ୍‌ ମାଧ୍ୟମରେ ଜନତା ଜନାର୍ଦ୍ଦନଙ୍କ ରାୟକୁ ସ୍ବୀକାର କରିଛନ୍ତି ବିଆର୍‌ଏସ୍‌ କାର୍ଯ୍ୟକାରୀ ସଭାପତି କେଟି ରାମାରାଓ । ସେ କହିଛନ୍ତି ଦୁର୍ଭାଗ୍ୟବଶତଃ ଫଳାଫଳ ଆମେ ଆଶା କରିଥିବା ଭଳି ହୋଇନାହିଁ । ଆମେ କଡ଼ା ସଙ୍ଘର୍ଷ କରିଛୁ । ଆମ ଉପରେ ବିଶ୍ବାସ ପ୍ରକଟ କରି ୨ ଥର ସୁଯୋଗ ଦେଇଥିବାରୁ ମୁଁ ତେଲେଙ୍ଗାନାବାସୀଙ୍କ ନିକଟରେ କୃତଜ୍ଞ । ଆମେ କେସିଆର୍‌ଙ୍କ ନେତୃତ୍ବରେ ତେଲେଙ୍ଗାନା ଲୋକଙ୍କ ସେବା ଜାରି ରଖିବୁ । ତେଲେଙ୍ଗାନାରେ ଜନାଦେଶ ଜିତିଥିବା କଂଗ୍ରେସକୁ ଆମେ ଅଭିନନ୍ଦନ ଜଣାଉଛୁ । ଆମେ ଏକ ଦୃଢ଼ ବିରୋଧୀ ଦଳର ଭୂମିକା ନିର୍ବାହ କରିବୁ ।

କଂଗ୍ରେସ ନେତା ରାହୁଲ ଗାନ୍ଧୀ ଜନାଦେଶକୁ ସେ ବିନମ୍ରଭାବେ ସ୍ୱୀକାର କରୁଛନ୍ତି ବୋଲି ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି। ତେବେ ବିଚାରଧାରାର ଲଢ଼େଇ ଜାରି ରହିବ ବୋଲି ରାହୁଲ ତାଙ୍କ ଟ୍ୱିଟ୍‌ରେ ଲେଖିଛନ୍ତି। ସେ ଲେଖିଛନ୍ତି “ମଧ୍ୟପ୍ରଦେଶ, ଛତିଶଗଡ ଏବଂ ରାଜସ୍ଥାନର ଜନାଦେଶକୁ ଆମେ ବିନମ୍ରତାର ସହ ସ୍ୱୀକାର କରୁଛୁ – ଆଦର୍ଶଗତ ବିଚାରାଧାରର ଲଢ଼େଇ ଜାରି ରହିବ। ତେଲେଙ୍ଗାନାର ଲୋକଙ୍କୁ ମୋର ବହୁତ ଧନ୍ୟବାଦ।- ପ୍ରଜାପାଳକ ତେଲେଙ୍ଗାନା ତିଆରି କରିବାର ପ୍ରତିଶୃତି ଆମେ ନିଶ୍ଚିତ ପୂରା କରିବୁ। ସମସ୍ତ କର୍ମକର୍ତ୍ତାଙ୍କୁ ସେମାନଙ୍କର ପରିଶ୍ରମ ଏବଂ ସମର୍ଥନ ପାଇଁ ହୃଦୟରୁ ଧନ୍ୟବାଦ।”

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତିନି ରାଜ୍ୟରେ ମିଳୁଥିବା ବିଜୟରେ ଖୁସି ବ୍ୟକ୍ତ କରିଛନ୍ତି । ଏହାସହ ଏହି ବିପୁଳ ବିଜୟ ପାଇଁ ମାଆ-ଭଉଣୀ, ଯୁବ ଭୋଟର୍ସଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ପିଏମ୍ ମୋଦୀ ଏକ୍ସରେ ଲେଖିଛନ୍ତି, ଜନତା-ଜନାର୍ଦ୍ଦନଙ୍କୁ ନମନ ! ମଧ୍ୟ ପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ନିର୍ବାଚନ ପରିଣାମ ଦର୍ଶାଉଛି ଯେ ଭାରତର ଲୋକଙ୍କ ଭରସା କେବଳ ଓ କେବଳ ସୁଶାସନ ଓ ବିକାଶର ରାଜନୀତିରେ, ତାଙ୍କ ଭରସା ବିଜେପି ଉପରେ ଅଛି । ବିଜେପି ପ୍ରତି ନିଜ ସ୍ନେହ, ବିଶ୍ୱାସ ଓ ଆଶୀର୍ବାଦ ବର୍ଷା କରିଥିବାରୁ ଏହି ସବୁ ରାଜ୍ୟର ପରିବାରଜନଙ୍କୁ, ବିଶେଷ କରି ମାଆ-ଭଉଣୀ-ଝିଅଙ୍କୁ, ଆମ ଯୁବ ଭୋଟର୍ସଙ୍କୁ ହୃଦୟରୁ ଧନ୍ୟବାଦ । ଏହି ଅବସରରେ ପାର୍ଟିର ସମସ୍ତ ପରିଶ୍ରମୀ କାର୍ଯ୍ୟକର୍ତ୍ତାଙ୍କୁ ବିଶେଷ ରୂପେ କୃତଜ୍ଞତା ଜଣାଉଛି । ଆପଣ ସମସ୍ତେ ଅଦ୍ଭୂତ ଉଦାହରଣ ସୃଷ୍ଟି କରିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ ଲେଖିଛନ୍ତି, ବିଜେପିର ବିକାଶ ଓ ଗରିବ କଲ୍ୟାଣ ନୀତିକୁ ଆପଣ ଯେପରି ଭାବେ ଲୋକଙ୍କ ନିକଟରେ ପହଞ୍ଚାଇଛନ୍ତି, ତାକୁ ଯେତେ ପ୍ରଶଂସା କଲେ ବି କମ ହେବ । ଆମେ ବିକଶିତ ଭାରତର ଲକ୍ଷ୍ୟକୁ ନେଇ ଆଗକୁ ବଢୁଛୁ । ଆମେ ନା ଅଟକିବୁ, ନା ଥକିବୁ । ଭାରତକୁ ବିଜୟୀ କରିବାର ଅଛି । ଆଜି ଏହି ଦିଗରେ ଆମେ ମିଳିମିଶି ଏକ ସଶକ୍ତ ପଦକ୍ଷେପ ନେଇଛୁ ।

ତେଲଙ୍ଗାନା ବିଧାନସଭା ନିର୍ବାଚନ ପରିଣାମ ଉପରେ ପିଏମ୍ ମୋଦୀ ଲେଖିଛନ୍ତି, ମୋର ପ୍ରିୟର ଭଉଣୀ ଓ ଭାଇ, ଆପଣଙ୍କ ସମର୍ଥନ ପାଇଁ ଧନ୍ୟବାଦ । ଗତ କିଛି ବର୍ଷରେ ଏହି ସମର୍ଥନ ଲଗାତାର ବଢି ଚାଲିଛି ଓ ଆଗାମୀ ଦିନରେ ମଧ୍ୟ ଏହା ଜାରି ରହିବ । ତେଲଙ୍ଗାନା ସହ ଆମ ସମ୍ପର୍କ ଅତୁଟ ରହିଛି ଓ ଲୋକଙ୍କ ପାଇଁ କାମ କରିବା ଜାରି ରଖିବୁ । ମୁଁ ପ୍ରତ୍ୟେକ ବିଜେପି କର୍ମୀଙ୍କ ପରିଶ୍ରମୀ ଉଦ୍ୟମକୁ ପ୍ରଶଂସା କରୁଛି ।