FeaturedGeneralLatestPolitics

ବାଥରୁମରେ ପଡ଼ି ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ଗୁରୁତର

ହାଇଦ୍ରାବାଦ (ସଂକେତ ଟିଭି) ବାଥରୁମରେ ପଡ଼ି ଅସୁସ୍ଥ ହୋଇପଡ଼ିଛନ୍ତି ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଆର୍‌ଏସ୍‌ ପାର୍ଟିର ମୁଖ୍ୟ କେ. ଚନ୍ଦ୍ରଶେଖର ରାଓ। ଇରାଭେଲ୍ଲିରେ ନିଜ ଫାର୍ମ ହାଉସରେ ବାଥରୁମରେ କେସିଆର ପଡ଼ିଯାଇଥିଲେ। ତାଙ୍କ କଟିଦେଶରେ ଆଘାତ ଲାଗିଥିଲା । ଡାକ୍ତରୀ ଟିମ୍ ଦ୍ବାରା ପରୀକ୍ଷା ନିରୀକ୍ଷା କରାଯାଇଛି। ତାଙ୍କ ସ୍ବାସ୍ଥ୍ଯାବସ୍ଥା ସ୍ଥିର ଥିବା ମେଡିକାଲ ପଷରୁ କୁହାଯାଇଛି।

ସୂଚନା ଅନୁସାରେ, ଗତକାଲି ( ଗୁରୁବାର) ବିଳମ୍ବିତ ରାତିରେ ନିଜ ଫାର୍ମ ହାଉସରେ ଗୋଡ଼ ଖସିଯିବାରୁ ତଳେ ପଡିଯାଇ ଆହତ ହୋଇଥିଲେ କେସିଆର। ତାଙ୍କୁ ହାଇଦ୍ରାବାଦର ସୋମାଜିଗୁଡା ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ହସ୍ପିଟାଲରେ ତାଙ୍କର ହିପ୍ ରିପ୍ଲୋସମେଣ୍ଟ (କଟିଦେଶ ପ୍ରତିରୋପଣ) କରାଯାଇଥିବା ଜଣାପଡିଛି । ହସ୍ପିଟାଲରେ ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ କେସିଆରଙ୍କ ଚିକିତ୍ସାରେ ନିୟୋଜିତ ହୋଇଛନ୍ତି। ହାଇଦ୍ରାବାଦ ଇରାଭେଲିରେ ଥିବା ନିଜର ଫାର୍ମ ହାଉସରେ କେସିଆର ବାଥ୍ ରୁମ୍ ଯାଇଥିବା ବେଳେ, ତାଙ୍କ ଗୋଡ଼ ଖସି ଯାଇଥିଲା। ସେ ତଳେ ପଡ଼ିଯାଇଥିଲେ ଏବଂ ତାଙ୍କ ଅଣ୍ଟା ତଳକୁ ଆଘାତ ଲାଗିଥିଲା । ତେଲେଙ୍ଗାନା ବିଧାନସଭା ନିର୍ବାଚନରେ ପରାଜୟ ପରେ କେସିଆର, ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ପ୍ରଗତୀ ଭବନ ଛାଡ଼ି, ନିଜ ଫାର୍ମ ହାଉସ ଇରାଭେଲ୍ଲିକୁ ପଳାଇଥିଲେ। କେସିଆରଙ୍କ ସ୍ବାସ୍ଥ୍ଯାବସ୍ଥା ଜାଣିବାକୁ ହସପିଟାଲ ଆଗରେ ବିଆରଏସ ନେତା ଏବଂ ସମର୍ଥକଙ୍କ ଭିଡ଼ ହୋଇଥିଲା । ଶୁଭେଚ୍ଛୁମାନେ ହସପିଟାଲ ଆଗରେ ଭିଡ଼ ଜମାଇଥିବା ବେଳେ, ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ସେପଟେ ତେଲେଙ୍ଗାନାର ନୂଆ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡି, କେସିଆରଙ୍କ ସ୍ବାସ୍ଥ୍ଯାବସ୍ଥା ସଂପର୍କରେ ପଚାରି ବୁଝିଛନ୍ତି। କେସିଆରଙ୍କ ଚିକିତ୍ସା ଏବଂ ସ୍ବାସ୍ଥ୍ଯାବସ୍ଥା ସଂପର୍କରେ ଅପଡେଟ୍ ଦେବାକୁ ଆଇଏଏସ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରେବନ୍ତ । କେସିଆରଙ୍କୁ ଆବଶ୍ୟକ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ, ରାଜ୍ୟ ସ୍ବାସ୍ଥ୍ଯ ବିଭାଗ ସଚିବ ଏବଂ ବିଭାଗୀୟ ଅଧିକାରୀମାନଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟ୍ୱିଟ ଜରିଆରେ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ କେସିଆରଙ୍କ ସ୍ବାସ୍ଥ୍ୟବସ୍ଥାରେ ଖୁବ ଶୀଘ୍ର ସୁଧାର ଆସୁ ବୋଲି କାମନା କରିଛନ୍ତି। କେସିଆରଙ୍କ ଝିଅ କବିତା, ବାପାଙ୍କ ଅସୁସ୍ଥତା ନେଇ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛନ୍ତି। କବିତା ଲେଖିଛନ୍ତି ଯେ ବିଆରଏସ ସୁପ୍ରିମୋ କେସିଆର ସାମାନ୍ୟ ଆହତ ହୋଇ ବର୍ତ୍ତମାନ ହସ୍ପିଟାଲରେ ବିଶେଷଜ୍ଞ ଡାକ୍ତରଙ୍କ ଦ୍ୱାରା ଚିକିତ୍ସିତ ହେଉଛନ୍ତି । ସମସ୍ତଙ୍କ ସମର୍ଥନ ଓ ଶୁଭେଚ୍ଛୁଙ୍କ ପ୍ରାର୍ଥନାରେ ବାପା ଖୁବଶୀଘ୍ର ସେ ସୁସ୍ଥ ହେବେ । ସମସ୍ତ ଭଲ ପାଇବା ପାଇଁ ଧନ୍ୟବାଦ ।