FeaturedGeneralLatestPolitics

ଟିଏମସି ସାଂସଦ ମହୁଆ ମୈତ୍ରଙ୍କ ଲୋକସଭା ସଦସ୍ୟତା ରଦ୍ଦ

ନୂଆଦିଲ୍ଲୀ (ସଂକେତ ଟିଭି) ପ୍ରଶ୍ନ ପାଇଁ ଟଙ୍କା ମାମଲାରେ ଲୋକସଭା ସାଂସଦ ପଦରୁ ମହୁଆ ମୈତ୍ର ବହିଷ୍କୃତ ହୋଇଛନ୍ତି । ଏଥିକ୍ସ କମିଟିର ରିପୋର୍ଟ ଆଧାରରେ ବାଚସ୍ପତି ମହୁଆଙ୍କ ସାଂସଦ ପଦ ରଦ୍ଦ କରିଛନ୍ତି । ଏନଡିଏ ତରଫରୁ ମହୁଆଙ୍କୁ ବହିଷ୍କାର କରିବା ପାଇଁ ଆଗତ ପ୍ରସ୍ତାବ ଧ୍ୱନୀମତରେ ଲୋକସଭାରେ ଗୃହିତ ହୋଇଥିଲା । ଆଜି ଗୃହକାର୍ଯ୍ୟ ଆରମ୍ଭ ହେବା ସହିତ ଲୋକସଭାରେ ଏଥିକ୍ସ କମିଟି ରିପୋର୍ଟ ପେସ କରାଯାଇଥିଲା ।

ଗୃହରେ ଏମ୍‌ପି ମହୁଆଙ୍କ ଉପରେ ‘ଏଥିକ୍ସ କମିଟି’ ରିପୋର୍ଟ ଉପସ୍ଥାପନ କରିଥିଲେ। ଏଥିକ୍ସ କମିଟି ଅଧ୍ୟକ୍ଷ ବିନୋଦ କୁମାର ସୋନ୍‌କାର ରିପୋର୍ଟରେ ଉଲ୍ଲେଖ କରିଥିଲେ ଯେ, ମହୁଆ କଠୋର ଦଣ୍ଡବିଧାନ ଯୋଗ୍ୟ। ଏପରିକି ତାଙ୍କ ସାଂସଦ ପଦ ରଦ୍ଦ କରିବାକୁ ସୁପାରିଶ କରିଥିଲେ । ଯାହାକୁ ନେଇ ଲୋକସଭାରେ ଚର୍ଚ୍ଚା ହୋଇଥିଲା । ବିରୋଧୀ ସାଂସଦ ମହୁଆଙ୍କୁ ତାଙ୍କ ପକ୍ଷ ରଖିବାକୁ ସୁଯୋଗ ଦିଆଯାଉ ବୋଲି ଦାବି କରିଥିଲେ ମଧ୍ୟ ବାଚସ୍ପତି ଏହାକୁ ଗ୍ରହଣ କରିନଥିଲେ । ଏହି କାର୍ଯ୍ୟାନୁଷ୍ଠାନ ପରେ ବାଚସ୍ପତି କହିଛନ୍ତି, ମହୁଆ ମୋଇତ୍ରଙ୍କ ଆଚରଣ ଅନୈତିକ । ତେଣୁ ସେ ସଂସଦରେ ରହିବା ଉଚିତ୍ ନୁହେଁ ବୋଲି ବାଚସ୍ପତି କହିଥିଲେ ।

ଅନ୍ୟପକ୍ଷରେ ମହୁଆ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ରାଜନୈତିକ ଉଦ୍ଧେଶ୍ୟପ୍ରଣୋଦିତ ବୋଲି କହିଛନ୍ତି । ଲୋକସଭାରୁ ବହିଷ୍କୃତ ହେବା ପରେ ମହୁଆ ନିଜ ସାଥି ସାଂସଦଙ୍କ ସହିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ବିକ୍ଷୋଭ କରିଥିଲେ । କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧି ମଧ୍ଯ ତାଙ୍କ ସହିତ ଏହି ସମୟରେ ଥିଲେ ।

ସୂଚନା ଅନୁସାରେ, ଗୌତମ ଆଦାନୀ ମାମଲାରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବା ପାଇଁ ମହୁଆ ବ୍ୟବସାୟୀ ଦର୍ଶନ ହୀରାନନ୍ଦାନୀଙ୍କ ଠାରୁ ଲାଞ୍ଚ ନେଉଥିଲେ। ମହୁଆ ନିଜର ସଂସଦ ଆକାଉଣ୍ଟର ଲଗ୍-ଇନ୍ ଆଇଡି ଓ ପାସୱାର୍ଡକୁ ବି ହୀରାନନ୍ଦାନୀଙ୍କୁ ଦେବା ସହ ତାଙ୍କ ଠାରୁ ନଗଦ ଟଙ୍କା ଏବଂ ଅନ୍ୟାନ୍ୟ ସୁବିଧା ପାଇଥିବା ଅଭିଯୋଗ ହୋଇଥିଲା।