FeaturedGeneralLatest

ବିଜେପି ନେତାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ମାଓବାଦୀ

ରାୟପୁର (ସଂକେତ ଟିଭି) ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା କଲେ ନକ୍ସଲ । ଛତିଶଗଡର ନାରାୟଣପୁରର ଛୋଟେଡଙ୍ଗର ଗ୍ରାମରେ ଏହି ହତ୍ୟାକାଣ୍ଡ ଘଟିଛି । ହତ୍ୟାର ଶିକାର ହୋଇଥିବା ବିଜେପି ନେତା ହେଉଛନ୍ତି କୋମଲ ମାଝି ।

ସୂଚନା ଅନୁସାରେ, କୋମଲଙ୍କୁ ପୂର୍ବରୁ ମଧ୍ୟ ମାଓକ୍ୟାମ୍ପରୁ ଏକାଧିକ ଥର ହତ୍ୟା ଧମକ ମିଳିଥିଲା । ଏନେଇ ସେ ଅଭିଯୋଗ ମଧ୍ୟ କରିଥିଲେ । ଆଜି ସକାଳେ ସେ ଗ୍ରାମରେ ସାଢେ 10ଟା ବେଳେ ଗ୍ରାମ ନିକଟବର୍ତ୍ତୀ ଶୀତଳା ମନ୍ଦିରକୁ ପୂଜା କରିବାକୁ ବାହାରିଥିଲେ । ରାସ୍ତାରେ ନକ୍ସଲଙ୍କ ଏକ ଦଳ ସେମାନଙ୍କୁ ଅଟକାଇ ଅତର୍କିତ ଆକ୍ରମଣ କରିଥିଲେ । ଟାଙ୍ଗିଆରେ ତାଙ୍କୁ ଆକ୍ରମଣ କରି ଘଟଣାସ୍ଥଳରେ ହିଁ ନକ୍ସଲିମାନେ ହତ୍ୟା କରିବା ପରେ ନିକଟରେ ଏକ ପୋଷ୍ଟର ଫିଙ୍ଗିଥିବା ମଧ୍ୟ ଦେଇଥିବାକୁ ମିଳିଛି । ନକ୍ସଲଙ୍କ ଏହି ଦଳରେ ପ୍ରାୟ ତିନି ରୁ ଚାରି ଜଣ ଥିବା କେତେକ ପ୍ରତ୍ୟେକ୍ଷଦର୍ଶୀ କହିଛନ୍ତି ।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ମାଓ ପୋଷ୍ଟର ମଧ୍ୟ ଜବତ କରିଛି । ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ସୁରକ୍ଷା ବଳର ଯବାନ ମଧ୍ୟ ନିକଟବର୍ତ୍ତୀ ଜଙ୍ଗଲରେ କମ୍ବିଂ ଅପରେସନ ଆରମ୍ଭ କରିଛନ୍ତି । ନକ୍ସଲମାନେ ଫିଙ୍ଗିଥିବା ପୋଷ୍ଟରରେ କୋମଲ ସ୍ଥାନୀୟ ଅଞ୍ଚଳରେ ଖାଦାନ ଦଲାଲିରେ ସମ୍ପୃକ୍ତ ଥିଲେ, ତେଣୁ ତାଙ୍କୁ ମୃତ୍ୟୁଦଣ୍ଡ ମିଳିଥିବା ଉଲ୍ଲେଖ ରହିଛି । ସେହିପରି ଅନ୍ୟକେହି ଏପରି କାର୍ଯ୍ୟରେ ଲିପ୍ତ ରହିଲେ, ବା ସାମ୍ରାଜ୍ୟବାଦୀ କାର୍ଯ୍ୟକଳାପ ଆରମ୍ଭ କଲେ ସେମାନଙ୍କୁ ମଧ୍ୟ ଏହିପରି ମୃତ୍ୟୁଦଣ୍ଡ ମିଳିବ ନେଇ ନକ୍ସଲ ପୋଷ୍ଟରରେ ଧମକ ଦେଇଛନ୍ତି ।