FeaturedGeneralLatest

ଜାମ୍ମୁ-କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ବୈଧ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ (ସଂକେତ ଟିଭି): ସୁପ୍ରିମକୋର୍ଟ ଜାମ୍ମୁ-କାଶ୍ମୀରରେ ଧାରା ୩୭୦ ବୈଧତା ଉପରେ ରାୟ ପ୍ରକାଶ କରିଛନ୍ତି । ଜାମ୍ମୁ-କାଶ୍ମୀର ହେଉଛି ଭାରତ ଅଭିନ୍ନ ଅଙ୍ଗ । ରାଜ୍ୟରୁ ଧାରା ୩୭୦ ଉଚ୍ଛେଦ ସଠିକ୍ ନିଷ୍ପତ୍ତି । କେନ୍ଦ୍ର ସରକାରଙ୍କ ୨୦୧୯ ଅଗଷ୍ଟ ୫ ତାରିଖ ନିଷ୍ପତ୍ତି ବଳବତ୍ତର ରହିବ । ଧାରା ୩୭୦ ଉଚ୍ଛେଦ ନିଷ୍ପତ୍ତି ରାଷ୍ଟ୍ରପତିଙ୍କ ଅଧିକାର ଭିତରେ ରହିଛି । ଧାରା ୩୭୦ ସମ୍ବିଧାନରେ ଅସ୍ଥାୟୀ ବ୍ୟବସ୍ଥା ଥିଲା । ତେଣୁ ଏହି ଅନୁଚ୍ଛେଦ ଉଚ୍ଛେଦ ବୈଧ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

ସୁପ୍ରିମକୋର୍ଟ ଦୀର୍ଘ ୪ ବର୍ଷ ୪ମାସ ଓ ୬ ଦିନ ପରେ ଏହି ରାୟ ଶୁଣାଇଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ୍ ଡିଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ନେତ୍ବତାଧୀନ ୫ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଏହି ନିଷ୍ପତ୍ତି ଉପରେ ମୋହର ମାରିଛନ୍ତି । ଅନ୍ୟପଟେ ଶୀଘ୍ର ଜାମ୍ମୁ-କାଶ୍ମୀରକୁ ରାଜ୍ୟ ମାନ୍ୟତା ଦେବାକୁ ଅଦାଲତ କହିଛନ୍ତି ।

ସୁପ୍ରିମକୋର୍ଟ କହିଛନ୍ତି, ଜାମ୍ମୁ-କାଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟାଇବା ବୈଧ କିମ୍ବା ଅବୈଧ ଏହା ଏବେ ପ୍ରସଂଗ ନୁହେଁ । ୨୦୧୮ରୁ ରାଜ୍ୟରେ ଲାଗୁ ହୋଇଥିବା ରାଷ୍ଟ୍ରପତି ଶାସନ ବୈଧତା ଉପରେ ନିଷ୍ପତ୍ତି ଶୁଣାଇବାକୁ ମନା କରିଛନ୍ତି । କାରଣ ଆବେଦନକାରୀ ଏହା ଉପରେ କୌଣସି ଚ୍ୟାଲେଞ୍ଜ ହୋଇନାହିଁ । ସିଜେଆଇ କହିଛନ୍ତି, ଯେତେବେଳେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଥାଏ, ସେତେବେଳେ ରାଜ୍ୟର ସଂଘୀୟ ଶକ୍ତି ସଙ୍କୋଚିତ ହୋଇଥାଏ ।

ଏହାଛଡ଼ା କୋର୍ଟ କହିଛନ୍ତି, ଆର୍ଟିକିଲ୍ ୩୭୦ କେବଳ ଧାରା ୩୭୦ ଆଧାରରେ ସଂଶୋଧିତ କରାଯାଇପାରିଥାନ୍ତା । ଏହା ସହିତ ୩୦ ସେପ୍ଟେମ୍ବର ୨୦୨୪ ସୁଦ୍ଧା ଜାମ୍ମୁ-କାଶ୍ମୀରରେ ବିଧାନସଭା ନିର୍ବାଚନ କରାଇବାକୁ କୋର୍ଟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି । ସେହିପରି ଶୀଘ୍ର ରାଜ୍ୟ ମାନ୍ୟତା ଦେବାକୁ କେନ୍ଦ୍ରକୁ କହିଛନ୍ତି । ଅନ୍ୟପଟେ ଲଦାଖକୁ କେନ୍ଦ୍ରଶାସିତ ଅଞ୍ଚଳ ଭାବେ ବଳବତ୍ତର ରଖିଛନ୍ତି ।