FeaturedGeneralLatestPolitics

ଭଜନଲାଲ ଶର୍ମା ହେବେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ

ଜୟପୁର (ସଂକେତ ଟିଭି) ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀ ହେବେ ଭଜନଲାଲ ଶର୍ମା । ଆଜି ବିଧାୟକ ଦଳ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଭଜନଲାଲ ଶର୍ମା ଚଳିତ ନିର୍ବାଚନରେ ପ୍ରଥମ ଥର ପାଇଁ ବିଧାୟକ ଭାବେ ସାଙ୍ଗାନେରରୁ ଆସନରୁ ବିଜୟୀ ହୋଇଛନ୍ତି । ଏଥି ସହିତ ଭଜନଲାଲ ଶର୍ମା ରାଜସ୍ଥାନ ବିଜେପିର ସଂଗଠନ ସଂପାଦକ ଭାବେ ମଧ୍ୟ କାର୍ଯ୍ୟକରୁଛନ୍ତି।

ରାଜସ୍ଥାନରେ ବିଜେପିର ବହୁମତ ପରେ କିଏ ମୁଖ୍ୟମନ୍ତ୍ରୀ ହେବ, ଏହାକୁ ନେଇ ବହୁ ଚର୍ଚ୍ଚା ହେଉଥିଲା। ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆ ଓ ସାଂସଦରୁ ବିଧାୟକ ହୋଇଥିବା ବାବା ବାଳକନାଥ ମୁଖ୍ୟମନ୍ତ୍ରୀ ହେବାନେଇ ଆକଳନ କରାଯାଉଥିଲା। ହେଲେ ବିଜେପି ହାଇକମାଣ୍ଡ ସାଙ୍ଗାନେରରୁ ପ୍ରଥମ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ଭଜନଲାଲ ଶର୍ମାଙ୍କ ଉପରେ ଆସ୍ଥାପ୍ରକଟ କରିଛନ୍ତି । ଭଜନଲାଲ ପ୍ରଥମ ଥର ପାଇଁ ସେ ବିଧାୟକ ନିର୍ବାଚିତ ହୋଇଥିଲେ ବି ପୂର୍ବରୁ ଅନେକ ବର୍ଷ ଧରି ସେ ବିଜେପିର ସାଂଗଠନିକ ଦାୟିତ୍ବରେ ରହିଥିଲେ । ସେ ମଧ୍ୟ ଆରଏସଏସ ସହ ସଂପୃକ୍ତ ।

ଆଜି ବିଜେପି ବିଧାୟକ ଦଳ ବୈଠକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଭଜନଲାଲ ଶର୍ମାଙ୍କ ନାମକୁ ପ୍ରସ୍ତାବ ରଖିଥିଲେ ଓ ତାହାକୁ ଅନ୍ୟ ବିଧାୟକମାନେ ସମର୍ଥନ କରିଥିଲେ । ଏହାପରେ ପର୍ଯ୍ୟବେକ୍ଷକ ଭାବେ ଦିଲ୍ଲୀରୁ ଆସିଥିବା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏନେଇ ଘୋଷଣା କରିଥିଲେ। ରାଜସ୍ଥାନ ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ରାଜ୍ୟସଭା ସାଂସଦ ସରୋଜ ପାଣ୍ଡେ ଏବଂ ବିଜେପି ଜାତୀୟ ସାଧାରଣ ସମ୍ପାଦକ ବିନୋଦ ତାୱଡେଙ୍କୁ ପର୍ଯ୍ୟବେକ୍ଷକ ଭାବେ ବିଜେପି ଦିଲ୍ଲୀରୁ ପଠାଇଥିଲା ।