FeaturedLatestNewsPolitics

ଓଡ଼ିଶାରେ ବିଜେପି ଜିତିବ ୧୫ଟି ଆସନ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ (ସଂକେତ ଟିଭି) : କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଆସନ୍ତା ଲୋକସଭା ନିର୍ବାଚନରେ ଓଡ଼ିଶାରେ ବିଜେପି ଅତିକମରେ ୧୫ଟି ଆସନ ଜିତିବ। ନୂଆଦିଲ୍ଲୀରେ ଏକ ଜାତୀୟ ଗଣମାଧ୍ୟମର କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ଏହା କହିଛନ୍ତି।

ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଆଗାମୀ ଲୋକସଭା ନିର୍ବାଚନରେ ଓଡ଼ିଶାରେ ବିଜେପି ଅତିକମ୍‌ରେ ୧୫ ଆସନ ଜିତିବ । ଏହା ଦଳର ଭୋଟ୍‌ ପ୍ରତିଶତ ମଧ୍ୟ ବୃଦ୍ଧି ହୋଇ ୪୫% ହେବା ନେଇ ଆଶାବ୍ୟକ୍ତ କରିଛନ୍ତି ବରିଷ୍ଠ ବିଜେପି ନେତା ଧର୍ମେନ୍ଦ୍ର । ଆଉ ଏହି ଆକଳନ ଠିକ୍‌ ବୋଲି ସେ ବଳିଷ୍ଠ ଯୁକ୍ତି ମଧ୍ୟ ଦେଇଛନ୍ତି । ସାରା ଦେଶରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଲୋକପ୍ରିୟତା ବୃଦ୍ଧି ପାଇଛି । ଓଡ଼ିଶାରେ ମଧ୍ୟ ମୋଦିଙ୍କ ଆପ୍ରୁଭାଲ ରେଟ୍‌ ୮୦ ପ୍ରତିଶତ ଥିବା ଧର୍ମେନ୍ଦ୍ର କହିଛନ୍ତି । ଆଉ ନିକଟରେ ତିନିଟି ରାଜ୍ୟରେ ସରକାର ଗଠନ କରି ମୋଦିଙ୍କ ନୀତି ପ୍ରତି ଲୋକଙ୍କ ଆସ୍ଥାର ସଂକେତ ମଧ୍ୟ ମିଳିଛି ବୋଲି କହିଛନ୍ତି ଧର୍ମେନ୍ଦ୍ର । ୨୦୧୪ରେ ଦଳ ଗୋଟିଏ ଲୋକସଭା ଆସନରେ ଜିତିଥିବା ବେଳେ ୨୦୧୯ରେ ଏହା ୮ରେ ପହଞ୍ଚିଥିଲା । ଏଥର ୧୫ରୁ କମ୍‌ ଆସନ ଜିତିବାର ଚାନ୍ସ ନାହିଁ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଏହି ମନ୍ତବ୍ୟ ପରେ ଉଭୟ ବିଜେଡି ଓ କଂଗ୍ରେସ ପ୍ରତିକ୍ରିୟା ଦେଇଛନ୍ତି। ରାଜ୍ୟ କଂଗ୍ରେସର ପୂର୍ବତନ ସଭାପତି ଜୟଦେବ ଜେନା କହିଛନ୍ତି, ଧର୍ମେନ୍ଦ୍ର ବାବୁ ବହୁତ ଦିନ ହେଲା ଓଡ଼ିଶାରୁ ନିର୍ବାଚନ ଲଢ଼ି ନାହାନ୍ତି। ନିକଟରେ ତିନିଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳରୁ ଉତ୍ସାହିତ ହୋଇ ସେ ଏକଥା କହିଛନ୍ତି। ବିଜେପି ଓ ବିଜେଡ଼ି ଭିତରେ ସମ ଦୂରତା ନାହିଁ ସମଝୌତା ଅଛି। ଏ ବାର୍ତା ତୃଣମୂଳ ସ୍ତରରେ ପହଞ୍ଚିଲାଣି। ରାଜ୍ୟରେ ବିଜେପିକୁ ୧୫ଟି ଏମପି ସିଟ୍ ମିଳିବା କେବଳ ଏକ ସ୍ୱପ୍ନ। ସେ କେବଳ କହୁ କହୁ କହି ଦେଇଛନ୍ତି। ତାଙ୍କର ଲଢ଼ିବାର ନିଶା ନାହିଁ। ଗ୍ରାମାଞ୍ଚଳରେ ଏକ ମାତ୍ର ବିକଳ୍ପ ହେଉଛି କଂଗ୍ରେସ। ଓଡ଼ିଶାରେ ସରକାର କରିବ କଂଗ୍ରେସ।

ସେହିପରି ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ, ଲୋକଙ୍କୁ ଆକର୍ଷିତ କରିବା ପାଇଁ ବିଭିନ୍ନ ରାଜନୀତିକ ଦଳ ସେମାନଙ୍କ କଥା କହିଥା’ନ୍ତି। କିନ୍ତୁ ଓଡ଼ିଶାରେ ବାସ୍ତବ ସ୍ଥିତି ହେଉଛି ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜୁ ଜନତା ଦଳ ପ୍ରତି ଲୋକଙ୍କ ବିଶ୍ୱାସ ଅତୁଟ ରହିଛି। ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛ ନେତୃତ୍ୱ ଓ ଲୋକାଭିମୁଖୀ କାମ ପାଇଁ ତାହା ସମ୍ଭବ ହୋଇଛି। ୨୪ ନିର୍ବାଚନରେ ଆମର ଭୋଟ୍ ପ୍ରତିଶତ ବଢ଼ିବ ଓ ସିଟ୍ ସଂଖ୍ୟା ମଧ୍ୟ ବଢ଼ିବ।