LatestNewsPolitics

ବିଜେଡି ରାଜ୍ୟ କାର୍ଯ୍ୟକାରିଣୀରେ ପାରିତ ହେଲା ୨୭ଟି ପ୍ରସ୍ତାବ

ଭୁବନେଶ୍ୱର(ସଂକେତ ଟିଭି) ବିଜୁ ଜନତା ଦଳର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆଜି ଶଙ୍ଖ ଭବନରେ ଅନୁଷ୍ଠିତ ହୋଇଛି । ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକାରିଣୀରେ ବିଭିନ୍ନ ଏଜେଣ୍ଡା ଉପରେ ଦଳର ବରିଷ୍ଠ ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟଙ୍କ ଅଭିଭାଷଣ ରଖିଛନ୍ତି । ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସଂଚାଳନାରେ ପ୍ରଥମେ ସାଂଗଠନିକ ପ୍ରସ୍ତାବ ଦଳର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର ଆଗତ କରିଛନ୍ତି ।

ବିଧାୟିକା ଲତିକା ପ୍ରଧାନଙ୍କର ସମର୍ଥନ ପରେ ଏହା ସର୍ବସମ୍ମତ କ୍ରମେ ପାରିତ ହୋଇଛି । ରାଜ୍ୟ କାର୍ଯ୍ୟକାରିଣୀରେ ମୋଟ ୨୭ଟି ପ୍ରସ୍ତାବ ଦଳର ବରିଷ୍ଠ ନେତା ଆଗତ କରିଥିଲେ । ଅନ୍ୟ ବରିଷ୍ଠ ନେତା ଏହାକୁ ସମର୍ଥନ କରିଥିଲେ । ୧୧ଟି ରାଜନୈତିକ ପ୍ରସ୍ତାବ ଓ ୧୬ ଟି ଧନ୍ୟବାଦ ପ୍ରସ୍ତାବ ଆଲୋଚନା ହୋଇ ପାରିତ ହୋଇଛି ।

କାର୍ଯ୍ୟକାରିଣୀକୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସମ୍ବୋଧିତ କରିଛନ୍ତି । ସେ କହିଛନ୍ତି ଯେ, ବିରୋଧୀଙ୍କ ପାଖରେ କିଛି ପ୍ରସଙ୍ଗ ନାହିଁ । ଓଡ଼ିଶାର ରୂପାନ୍ତରଣ ସେମାନଙ୍କ ପାଇଁ ବଡ଼ ଧକ୍କା ହୋଇଛି । ତେଣୁ ସେମାନେ ମିଛ କହିବେ । ଅପପ୍ରଚାର କରିବେ । ତୃଣମୂଳ ସ୍ତରରୁ ଆମକୁ ଏହାର ଦୃଢ଼ ମୁକାବିଲା କରିବାକୁ ହେବ । ସାମାଜିକ ଗଣମାଧ୍ୟମରେ ଏହାକୁ ବିରୋଧ କରିବାକୁ ହେବ । ତା ସହିତ ବିକାଶର ବାର୍ତ୍ତାକୁ ଓଡ଼ିଶାର ଘରେ ଘରେ ପହଞ୍ଚିବାକୁ ହେବ । ଓଡିଶା ବାସୀ ଜାଣନ୍ତି ହଜାରେ ମିଛ କେବେ ସତ ହେବନାହିଁ । ସତ୍ୟର ଜୟ ହେବ । ବିକାଶର ଜୟ ହେବ । ନୂଆ ଓଡିଶା ଓ ସଶକ୍ତ ଓଡିଶା ଗଠନ ହେବ ।

ସାଂଗଠନିକ ପ୍ରସ୍ତାବରେ ଶଙ୍ଖ ଭବନରେ ପ୍ରତି ନିର୍ବାଚନ ମଣ୍ଡଳୀ ୱାରୀ ପ୍ରଶିକ୍ଷଣ ଓ ତାପରେ ଜୋନାଲ ପ୍ରଶିକ୍ଷଣ ପରବର୍ତୀ ପର୍ଯ୍ୟାୟରେ ଅନ୍ୟ କାର୍ଯ୍ୟକ୍ରମ କରାଯିବାକୁ ପ୍ରସ୍ତାବ ପାରିତ ହୋଇଛି । ପ୍ରତିଷ୍ଠା ଦିବସ ପରେ ଗୋଟିଏ ପକ୍ଷରେ ପଞ୍ଚାୟତ ସ୍ତରୀୟ ସମ୍ମିଳନୀ ଏବଂ ଜାନୁଆରୀ ୨୩ ନେତାଜୀ ଜୟନ୍ତୀରୁ ବିଜୁ ଜୟନ୍ତୀ ମାର୍ଚ୍ଚ ୫ ଯାଏଁ ନବୀନ ସରକାରର ସଫଳତା ତଥା ବିକାଶର ଆଭିମୁଖ୍ୟ ତୃଣମୁଳ ସ୍ତରରେ ଲୋକଙ୍କ ପାଖରେ ପହଁଚାଇବା ପାଇଁ ଅଭିଯାନ ଆରମ୍ଭ କରାଯିବ ବୋଲି କାର୍ଯ୍ୟକାରିଣୀ ପ୍ରସ୍ତାବରେ କୁହାଯାଇଛି ।

ବୈଠକରେ ସଂଘୀୟ ବ୍ୟବସ୍ଥାରେ ଓଡିଶା ତାର ନ୍ୟାର୍ଯ୍ୟ ଦାବୀ ସ୍ବତନ୍ତ୍ର ରାଜ୍ୟ ପାହ୍ୟା କିମ୍ବା ସ୍ପେଶାଲ ଫୋକସ ଷ୍ଟେଟ ମାନ୍ୟତା ଦାବୀ ହାସଲ କରିବା ପାଇଁ ଉଦ୍ୟମ ଜାରି ରହିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି । ଏହା ସହିତ ମହାନଦୀ ଓ ପୋଲାଭରମ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କର ନୀରବତା ନେଇ ବୈଠକରେ ଦୁଃଖ ପ୍ରକାଶ କରାଯାଇଛି । ଦାବି ପୂରଣ ପାଇଁ ଉଦ୍ୟମ ଅବ୍ୟାହତ ରହିବ ବୋଲି ଘୋଷଣା କରାଯାଇଛି । କୋଇଲା ରୟାଲଟି ବୃଦ୍ଧି, ସେସ ପ୍ରଦାନ କ୍ଷେତ୍ରରେ ଓଡିଶାର ଦାବୀ ପୂରଣ ସହିତ ଜାତୀୟ ରାଜପଥ ଓ ରେଳବାଇ କ୍ଷେତ୍ରରେ ବିକାଶ କାର୍ଯ୍ୟ ତ୍ବରାନିତ ଏବଂ ଗରିବ କେନ୍ଦୁପତ୍ର ତୋଳାଳିଙ୍କ ଉପରୁ ଜିଏସଟି ବୋଝ ଦୂର କରିବା, ଖାଉଟି ଦର ବୃଦ୍ଧି ଓ ଏହା ଯୋଗୁଁ ଘର ଚଳାଇବାରେ ମହିଳା ମାନେ ସମ୍ମୁଖିନ ହେଉଥିବା କଷ୍ଟକର ପରିସ୍ଥିତି ବିଷୟରେ ଆଲୋଚନା କରାଯାଇଛି । ଏଦିଗରେ ଆବଶ୍ୟକ ପଦକ୍ଷେପ ନେବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯିବ ।

ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକମର ସଫଳ କାର୍ଯ୍ୟକାରିତା ପାଇଁ ସଂକଳ୍ପବଦ୍ଧ ହୋଇ କାମ କରିବାକୁ ନିଷ୍ପତ୍ତି ପାରିତ ହୋଇଛି । ଦଳର ସାଂଗଠନିକ ପ୍ରସ୍ତାବରେ ଦଳର କେନ୍ଦ୍ରୀୟ ନିଜସ୍ବ କାର୍ଯ୍ୟାଳୟ ଶଙ୍ଖ ଭବନର ଠିକଣା ପରିବର୍ତ୍ତନ ସଂପର୍କରେ ଏବଂ ସାଂଗଠନିକ ନିର୍ବାଚନକୁ ଗୋଟିଏ ବର୍ଷ ଘୁଞ୍ଚାଇବା ପାଇଁ ତଥା ଆଗାମୀ ଦିନର ସାଂଗଠନିକ କାର୍ଯ୍ୟକ୍ରମ ପାଇଁ ସର୍ବସମ୍ମତ କ୍ରମେ ଆଗତ ପ୍ରସ୍ତାବ ଆଲୋଚନା କରାଯାଇ ଗୃହୀତ ହୋଇଛି । ଆମେ ଗଢ଼ିବା ନୂଆ ଓଡିଶା ଓ ସଶକ୍ତ ଓଡିଶା ଶପଥ ସହ ବୈଠକ ଶେଷ ହୋଇଥିଲା । ଶେଷରେ ଦଳର ବରିଷ୍ଠ ଉପ ସଭାପତି ଅନଙ୍ଗ ଉଦୟ ସିଂଦେଓ ଧନ୍ୟବାଦ ଅର୍ପଣ କରିଛନ୍ତି ।