FeaturedGeneralLatestPolitics

ମୋଦୀ ସରକାର ର ଭୁଲ୍ ନୀତି ହିଁ ସଂସଦ ଭବନ ଆକ୍ରମଣ ପାଇଁ ଦାୟୀ : ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ (ସଂକେତ ଟିଭି) : ମୋଦୀ ସରକାରଙ୍କର ଭୁଲ ନୀତି ଯୋଗୁ ଯୁବଗୋଷ୍ଠୀ ଚାକିରି ନ ପାଇ ବେକାର ହେଉଛନ୍ତି। ଯାହାର ପୁଞ୍ଜିଭୁତ କ୍ରୋଧ ହିଁ ସଂସଦ ଭବନ ଆକ୍ରମଣର କାରଣ । ଡିସେମ୍ବର ୧୩ ତାରିଖରେ ସଂସଦ ଭବନ ଆକ୍ରମଣ ପାଇଁ ମୋଦୀ ସରକାରଙ୍କୁ ଦାୟୀ କରି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏହା କହିଛନ୍ତି ।

ସାମ୍ବାଦିକଙ୍କୁ ଘଟଣା ସମ୍ପର୍କରେ ପ୍ରତିକ୍ରିୟା ଦେଇ ରାହୁଲ କହିଛନ୍ତି ଯେ ବେକାରୀ ସମସ୍ୟା ହେଉଛି ଦେଶରେ ବର୍ତ୍ତମାନ ସବୁଠାରୁ ବଡ଼ ସମସ୍ୟା । ବାସ୍ତବରେ ସଂସଦର ସୁରକ୍ଷାରେ ତ୍ରୁଟି ହୋଇଛି। ତେବେ କଥା ହେଲା ଏଭଳି କାହିଁକି ହେଲା ? ମୋଦୀ ଜୀଙ୍କ ଭୁଲ ନୀତି ଯୋଗୁ ଭାରତର ଲୋକେ ଚାକିରି ପାଉ ନାହାନ୍ତି । କେବଳ ବେକାରୀ ସମସ୍ୟା ନୁହେଁ, ମହଙ୍ଗା ବଜାର ବି ଆକ୍ରମଣର କାରଣ ବୋଲି ରାହୁଲ କହିଛନ୍ତି।

ଡିସେମ୍ବର ୧୩ ତାରିଖରେ ୨୦୦୧ ମସିହାରେ ସଂସଦ ଆକ୍ରମଣ ୨୨ ବର୍ଷ ପୂର୍ତ୍ତି ପାଳନ ଅବସରରେ ଆନ୍ଦୋଳନାକାରୀମାନେ ସଂସଦ ଭିତରେ ଉପଦ୍ରବ କରିଥିଲେ। ଦୁଇ ଜଣ ଭିଜିଟର ଗ୍ୟାଲେରୀରୁ ସଂସଦର ଡେସ୍କ ଉପରେ ଚଢ଼ି ହଳଦିଆ ରଙ୍ଗ ସ୍ପ୍ରେ କରିବା ସହ ସଂସଦ ବାହାରେ ଜଣେ ମହିଳା ଓ ପୁରୁଷ ହଳଦୀଆ ରଙ୍ଗ ସ୍ପ୍ରେ କରି ଏକଛତ୍ରବାଦୀ ଶାସନ ଚଳିବ ନାହିଁ ବୋଲି ନାରା ଦେଇଥିଲେ। ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ୬ ଜଣଙ୍କୁ ଗିରଫ କରାଯାଇଛି। ଶନିବାର ଷଷ୍ଠ ଅଭିଯୁକ୍ତ ମହେଶ କୁମାୱତଙ୍କୁ ଗିରଫ କରାଯାଇଛି ।

ଆନ୍ଦୋଳନକାରୀମାନେ ମହିଶୂର ବିଜେପି ସାଂସଦ ପ୍ରତାପ ସିହ୍ମାଙ୍କ ଦ୍ୱାରା ଭିଜିଟର ପାସ୍ ନେଇ ପ୍ରବେଶ କରିଥିଲେ। ସଂସଦର ଶୂନ୍ୟକାଳ ଚାଲିଥିବା ସମୟରେ ସେମାନେ ଗ୍ୟାଲେରୀରୁ ସଂସଦ ଭବନ ଭିତରେ ପଶି ଡେସ୍କ ଉପରେ ଚଢ଼ି ହଳଦୀଆ ରଙ୍ଗ ସ୍ପ୍ରେ କରିଥିଲେ। ଘଟଣା ପରେ ସରକାରୀ କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ପରବର୍ତ୍ତୀ ରାୟ ନ ଆସିବା ପର୍ଯ୍ୟନ୍ତ ଭିଜିଟର ଭିସା ବ୍ୟାନ୍ କରାଯାଇଛି।