FeaturedGeneralLatest

ଦାଉଡ ଇବ୍ରାହିମଙ୍କ ଅବସ୍ଥା ଗୁରୁତର, ଖାଦ୍ୟରେ ବିଷ ଦିଆଯାଇଥିବା ଚର୍ଚ୍ଚା

ଇସଲାମାବାଦ(ସଂକେତ ଟିଭି) : ଅଣ୍ଡରୱାଲର୍‌ଡ ଡନ ଦାଉଦ ଇବ୍ରାହିମଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତାଙ୍କୁ ବିଷ ଦେଇ ହତ୍ୟା କରିବାକୁ ଉଦ୍ୟମ କରାଯାଇଥିବା ଖବର ରହିଛି।

ସେପଟେ ପାକିସ୍ତାନ ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି ଦାଉଦ ଇବ୍ରାହିମଙ୍କୁ ବିଷ ଦିଆଯାଇଥିବା ଖବର ଏକ ଗୁଜବ। ବାସ୍ତବରେ ତାଙ୍କର ଫୁଡ ପଏଜନିଂ ହୋଇଛି। ଅପରପକ୍ଷରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ନାହିଁ। ଘରେ ତାଙ୍କର ଚିକିତ୍ସା କରାଯାଉଛି।

ରିପୋର୍ଟରେ ଦର୍ଶାଯାଇଛି ଦାଉଦ ଇବ୍ରାହିମଙ୍କ ସ୍ବାସ୍ଥ୍ୟ ୩ ଦିନ ଧରି ଅସୁସ୍ଥ ଅଛି। ସେ ବାନ୍ତି କରୁଥିଲେ, ଯେଉଁଥିପାଇଁ ସେ ବହୁତ ଦୁର୍ବଳ ହୋଇଯାଇଛନ୍ତି। ତାଙ୍କର ୧୦୨ ଡିଗ୍ରୀ ଜ୍ୱର ହୋଇଥିଲା। ସେ ଅନେକ ଥର ବାନ୍ତି କରିଥିଲେ, ଯେଉଁ କାରଣରୁ ତାଙ୍କ ପରିବାର ଡାକ୍ତରଙ୍କୁ ଡାକିଥିଲେ। ସେ ବିଛଣାରୁ ଉଠିପାରୁ ନ ଥିବାରୁ ଘରେ ଡାକ୍ତରଙ୍କ ଏକ ଟିମ ଡକାଯାଇ ଚିକିତ୍ସା ଆରମ୍ଭ ହୋଇଥିଲା। ସୁରକ୍ଷା କାରଣରୁ ତାଙ୍କୁ ଡାକ୍ତରଖାନା ନେବା ଉପଯୁକ୍ତ ବିବେଚନା କରାଯାଇ ନ ଥିଲା। ସେ କରାଚିରେ ଥିବା ତାଙ୍କ ବଙ୍ଗଳାରେ ଅଛନ୍ତି । ବଙ୍ଗଳାର ପ୍ରଥମ ମହଲାରେ ଥିବା ଏକ କୋଠରୀକୁ ୱାର୍ଡ ରୁମରେ ପରିଣତ କରାଯାଇଛି । ଡାକ୍ତରଙ୍କ ଦଳ ୬୮ ବର୍ଷିୟ ତାଙ୍କୁ ୩ ରୁ ୪ ବୋତଲ ସାଲାଇନ ଦେଇଛନ୍ତି। ୩ ଦିନର ଚିକିତ୍ସା ପରେ ତାଙ୍କ ସ୍ବାସ୍ଥ୍ୟରେ ଉନ୍ନତି ହୋଇଛି ଏବଂ ସେ ବିଶ୍ରାମ ନେଉଛନ୍ତି, କିନ୍ତୁ ସେ ଖଟରୁ ଉଠିବାରେ ସକ୍ଷମ ନୁହଁନ୍ତି, ତେଣୁ ଲୋକମାନେ ତାଙ୍କୁ ଭେଟି ପାରୁ ନାହାନ୍ତି।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏହି ମାସର ୨୭ ତାରିଖରେ ଦାଉଦ ଇବ୍ରାହିମ ତାଙ୍କ ଜନ୍ମଦିନ ପାଳନ କରିବେ । ଏଥିପାଇଁ ଏକ ବଡ ପାର୍ଟି ଯୋଜନା କରାଯାଇଛି ଏବଂ କରାଚିକୁ ସ୍ବତନ୍ତ୍ର ଅତିଥିମାନଙ୍କୁ ନିମନ୍ତ୍ରଣ କରାଯାଇଛି, କିନ୍ତୁ ମଝିରେ ମଝିରେ ତାଙ୍କ ଅସୁସ୍ଥତା ଖବର ପ୍ରସାରିତ ହେବା ଯୋଗୁ ଅଣ୍ଡରୱାଲର୍‌ଡରେ ଆଲୋଡ଼ନ ସୃଷ୍ଟି ହେଉଛି।

ସେପଟେ ଏହି ଘଟଣା ସାମ୍ନାକୁ ଆସିବା ପରେ ପାକିସ୍ତାନରେ ଟୁଇଟର, ଗୁଗୁଲ ଓ ୟୁଟ୍ୟୁବ ଇତ୍ୟାଦି ସେବାକୁ ଠପ କରି ଦିଆଯାଇଛି। ପାକିସ୍ତାନରେ ନାଟୁଇଟର ଖୋଲୁଛି ନା ଗୁଗୁଲ ସର୍ଭିସ ଚାଲୁଛି ନା ୟୁଟ୍ୟୁବ ଚ୍ୟାନେଲ କାମ କରୁଛି। ହଠାତ ଏସବୁ ସେବା କାହିଁକି ଡାଉନ ହୋଇଗଲା ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କିଛି ନା କିଛି ଲୁଚା ଯାଇଥିବା ସନ୍ଦେହ କରାଯାଉଛି ବୋଲି ପାକିସ୍ଥାନୀ ସାମ୍ବାଦିକ ଆରଜୁ କାଜମି କହିଛନ୍ତି।