FeaturedGeneralLatestPolitics

ଲୋକସଭାରୁ ୩୩ ବିରୋଧୀ ସାଂସଦ ନିଲମ୍ବିତ

ନୂଆଦିଲ୍ଲୀ (ସଂକେତ ଟିଭି) : ଲୋକସଭାରୁ ଆଜି ୩୩ ବିରୋଧୀ ସାଂସଦଙ୍କୁ ନିଲମ୍ବିତ କରାଯାଇଛି । ସଂସଦର ସୁରକ୍ଷାରେ ତ୍ରୁଟିକୁ ନେଇ ବିରୋଧୀ ଦଳମାନେ ସେମାନଙ୍କ ଦାବିରେ ଅଟଳ ରହିଥିଲେ। ଏହାକୁ ନେଇ ଲୋକସଭା ଓ ରାଜ୍ୟସଭାରେ ଜୋରଦାର ହଙ୍ଗାମା ହୋଇଥିଲା। ଅନ୍ୟପକ୍ଷରେ ଲୋକସଭା ବାଚସ୍ପତି କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କ ସମେତ ୩୦ ଜଣ ସାଂସଦଙ୍କୁ ଲୋକସଭାର ଶୀତକାଳୀନ ଅଧିବେଶନରୁ ନିଲମ୍ବିତ କରିଛନ୍ତି। ସେହିପରି ଅଧିକାର କମିଟିର ରିପୋର୍ଟ ଆସିବା ପର୍ଯ୍ୟନ୍ତ ୩ ଜଣ ସାଂସଦଙ୍କୁ ନିଲମ୍ବିତ କରାଯାଇଛି। ଅର୍ଥାତ୍ ମୋଟ ୩୩ ସାଂସଦଙ୍କୁ ନିଲମ୍ବିତ କରାଯାଇଛି । କିଛିଦିନ ପୂର୍ବେ ପୂରା ଅଧିବେଶନ ପାଇଁ ୧୩ ଜଣ ବିରୋଧୀ ସାଂସଦଙ୍କୁ ନିଲମ୍ବିତ କରାଯାଇଥିଲା ।

ଆଜି ନିଲମ୍ବିତ ସଦସ୍ୟଙ୍କ ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ତଥା ଗୃହରେ ଦଳର ନେତା ଅଧୀର ରଞ୍ଜନ ଚୌଧୁରୀ ଓ ଦଳର ଉପନେତା ଗୌରବ ଗୋଗଇ ମଧ୍ୟ ରହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଟିଏମସି, ଡିଏମକେ, ଜେଡିୟୁ, ଆରଏସପି ସାଂସଦମାନେ ରହିଛନ୍ତି । ଅଧୀର ରଞ୍ଜନ ଚୌଧୁରୀଙ୍କ ବ୍ୟତୀତ କେ ଜୟକୁମାର, ଅପୂର୍ବ ପୋଦ୍ଦାର, ପ୍ରସୁନ ବାନାର୍ଜୀ, ମହମ୍ମଦ ବଶିର, ଜି. ସେଲଭମ୍, ସିଏନ୍ ଆନ୍ନାଦୁରାଇ, ଡକ୍ଟର ଟି ସୁମତି, କେ. ନବସ୍କାନି, କେ ବୀରସ୍ୱାମୀ, ଏନ୍ କେ ପ୍ରେମଚନ୍ଦ୍ରନ, ସୌଗତ ରାୟ, ଶତାବ୍ଦୀ ରାୟ, ଅସିତ କୁମାର ମାଲ, କୌଶଲେନ୍ଦ୍ର କୁମାର, ଏନ୍ଟୋ ଆଣ୍ଟୋନି, ଏସ୍. ଏସ୍. ପାଲନାମିକମ୍, ଅବଦୁଲ ଖାଲିଦ, ଥିରୁଭାରୁସ୍କର (ଏସ୍.କେ. ତିରୁନାବୁକ୍କରସାର), ବିଜୟ ବସନ୍ତ, ପ୍ରତିମା ମଣ୍ଡଳ, କାକୋଲି ଘୋଷ, କେ ମୁରଲୀଧରନ, ସୁନୀଲ କୁମାର ମଣ୍ଡଳ, ଏସ ରାମଲିଙ୍ଗମ, କେ. ସୁରେଶ, ଅମର ସିଂ, ରାଜମୋହନ ଉନ୍ନିଥନ, ଗୌରବ ଗୋଗୋଇ ଏବଂ ଟିଆର ବାଲୁଙ୍କୁ ନିଲମ୍ବିତ କରାଯାଇଛି।

ହଙ୍ଗାମା ଯୋଗୁଁ ଏହି ୩୦ ଜଣ ସାଂସଦଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ଅଧିକାର କମିଟିର ରିପୋର୍ଟ ଆସିବା ପର୍ଯ୍ୟନ୍ତ ୩ ଜଣ କେ. ଜୟକୁମାର, ବିଜୟ ବସନ୍ତ ଏବଂ ଅବଦୁଲ ଖାଲିକଙ୍କୁ ନିଲମ୍ବିତ କରାଯାଇଛି। ଏପରି ଗଣନିଲମ୍ବନ ପ୍ରାୟତଃ ପୂର୍ବରୁ ଦେଖିବାକୁ ମିଳିନଥିଲା । ସୁରକ୍ଷା ବିଭ୍ରାଟ ପରେ ଗୃହରେ ଅଚଳାବସ୍ଥା ଜାରି ରହିଛି । ସରକାର ଚର୍ଚ୍ଚା ପାଇଁ ରାଜି ନହେବା ସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ବିବୃତ୍ତି ନରଖିବା ଭୟ ବୋଲି ବିରୋଧୀ ଅଭିଯୋଗ କରୁଛନ୍ତି ।