GeneralLatestPolitics

ଇଣ୍ଡିଆ ମେଣ୍ଟର ଚତୁର୍ଥ ବୈଠକ ଆରମ୍ଭ

ନୂଆଦିଲ୍ଲୀ (ସଂକେତ ଟିଭି) ଆଜି ବିରୋଧୀ ‘ଇଣ୍ଡିଆ’ ମେଣ୍ଟର ଚତୁର୍ଥ ବୈଠକ ଦିଲ୍ଲୀର ଅଶୋକା ହୋଟେଲରେ ଆରମ୍ଭ ହୋଇଛି । କଂଗ୍ରେସ ହାଇକମାଣ୍ଡ ମଲ୍ଲିକାର୍ଜୁନ ଖଡଗେ, ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ମମତା ବାନାର୍ଜୀ, ନୀତିଶ କୁମାର, ଏମ.କେ ଷ୍ଟାଲିନ, ଅରବିନ୍ଦ କେଜ୍ରିଓ୍ବାଲ, ଶରଦ ପାଓ୍ବାର ପ୍ରମୁଖ ବୈଠକରେ ସାମିଲ ହୋଇଛନ୍ତି । ଅପରାହ୍ନରେ ଏହି ବୈଠକ ଆରମ୍ଭ ହୋଇଥିବା ବେଳେ ନିଷ୍ପତ୍ତି ଉପରେ ସମସ୍ତଙ୍କ ନଜର ରହିଛି ।

ଆଜି ମେଣ୍ଟ ବୈଠକରେ ମିଳିତ ରଣନୀତି ନେଇ କଣ ନିଷ୍ପତ୍ତି ଗ୍ରହଣ କରାଯାଉଛି । ଆଉ କେଉଁ ନୂଆ କମିଟି ଗଠନ କରାଯାଉଛି । ସଂଯୋଜକ ବା ମେଣ୍ଟ ମୁଖ୍ୟ ଆବାହକ ପଦବୀରେ ମୋହର ଲାଗୁଛି କି ନାହିଁ, ତାହା ଉପରେ ସମସ୍ତଙ୍କ ନଜର ରହିଛି । ଏହା ବ୍ୟତୀତ ନିର୍ବାଚନ ଅଧିକ ଦିନ ନଥିବା ବେଳେ ସିଟ୍‌ ସେୟାରିଂ ପାଇଁ ସହଯୋଗୀ ଦଳମାନେ କଣ ନିଷ୍କର୍ଷ ବାହାର କରୁଛନ୍ତି ତାହା ମଧ୍ୟ ଚର୍ଚ୍ଚାରେ ରହିଛି ।

ନିକଟରେ ତିନୋଟି ରାଜ୍ୟରେ ବିଧାନସଭା ନିର୍ବାଚନରେ ପରାଜିତ ହୋଇଥିବା କଂଗ୍ରେସ ପାଇଁ ମେଣ୍ଟରେ ନେତୃତ୍ବ ବଜାୟ ରଖିବା କଷ୍ଟକର ହୋଇପାରେ । କାରଣ ଏକାଧିକ ଦଳ କଂଗ୍ରେସ ଉପରେ ଅସନ୍ତୁଷ୍ଟ ମଧ୍ୟ ଅଛନ୍ତି । କଂଗ୍ରେସର ବିଧାନସଭା ରଣନୀତି ପାଇଁ ସେମାନେ ଦଳକୁ ସମାଲୋଚନା କରିଛନ୍ତି । ଏପରିକି ମମତାଙ୍କ ତୃଣମୂଳ କଂଗ୍ରେସ ଓ ନୀତିଶଙ୍କ ଜେଡିୟୁ ମେଣ୍ଟର ନେତୃତ୍ବ କଂଗ୍ରେସ ହାତରେ ଜାରି ରହୁ ବୋଲି ଚାହୁଁନଥିବା ମଧ୍ୟ ଚର୍ଚ୍ଚା ହେଉଛି । ତାହା ମଧ୍ୟ ଆଜି ବୈଠକରେ ଉଠିପାରେ ।