FeaturedGeneralLatestSports

ପଦ୍ମଶ୍ରୀ ପୁରସ୍କାର ଫେରାଇଲେ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ

ନୂଆଦିଲ୍ଲୀ (ସଂକେତ ଟିଭି) : ତାରକା କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ଆଜି ପଦ୍ମଶ୍ରୀ ପୁରସ୍କାର ଫେରାଇ ଦେଇଛନ୍ତି । ମହିଳା କୁସ୍ତିଯୋଦ୍ଧାଙ୍କୁ ଯୌନ ନିର୍ଯାତନା ଦେବା ଭଳି ଗମ୍ଭୀର ଅଭିଯୋଗରେ ଅଭିଯୁକ୍ତ କୁସ୍ତି ମହାସଂଘର ବିଦାୟୀ ମୁଖ୍ୟ ବ୍ରିଜଭୂଷଣ ଶରଣ ସିଂହଙ୍କ ଘନିଷ୍ଠ ସହଯୋଗୀ ସଞ୍ଜୟ ସିଂହ କୁସ୍ତି ମହାସଂଘର ସଭାପତି ନିର୍ବାଚିତ ହେବା ପରେ ସେ ମର୍ମାହତ ହୋଇ ଏଭଳି ପଦକ୍ଷେପ ନେଇଛନ୍ତି । ରିଓ ଅଲିମ୍ପିକ୍ସରେ ଦେଶ ପାଇଁ ପଦକ ଜିତିଥିବା ସାକ୍ଷୀ ମଲିକ ଏହି ପ୍ରସଙ୍ଗରେ ଗତକାଲି ଅବସର ଘୋଷଣା କରିଥିଲେ।

ବଜରଙ୍ଗ ତାଙ୍କ ‘X’ରେ ଏକ ପୋଷ୍ଟ କରି ଏହି କଥା ଘୋଷଣା କରିଛନ୍ତି। ଏଥିରେ ସେ ଲେଖିଛନ୍ତି- ମୁଁ ମୋ ପଦ୍ମଶ୍ରୀ ପୁରସ୍କାର ପ୍ରଧାନମନ୍ତ୍ରୀ ଜୀଙ୍କୁ ଫେରସ୍ତ କରି ଦେଉଛି।

ଏହା ସହିତ ସେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟ ଏକ ପତ୍ର ଲେଖିଛନ୍ତି। ସେଥିରେ ସେ ଲେଖିଛନ୍ତି- ଯେଉଁ ଝିଅମାନଙ୍କୁ ବେଟି ବଚାଓ ବେଟି ପଢ଼ାଓର ବ୍ରାଣ୍ଡ ଆମ୍ବାସାଡର ବନିବାର ଥିଲା, ସେହିମାନଙ୍କର ଏମିତି ଅବସ୍ଥା କରିଦିଆଗଲା ଯେ ସେମାନଙ୍କୁ ନିଜ ଖେଳ ଛାଡ଼ିବାକୁ ପଡ଼ିଲା। ଆମେ ‘ସମ୍ମାନିତ’ କୁସ୍ତିଯୋଦ୍ଧା କିଛି କରିପାରିବୁ ନାହିଁ। ମହିଳା କୁସ୍ତିଯୋଦ୍ଧାଙ୍କୁ ଅପମାନିତ କରାଯିବା ପରେ ‘ସମ୍ମାନିତ’ ହୋଇ ନିଜ ଜୀବନ ବଞ୍ଚି ପାରିବି ନାହିଁ। ଏମିତି ଜୀବନ କଣ୍ଟା ଭଳି ଲାଗୁଛି। ସେଥିପାଇଁ ଏହି ସମ୍ମାନ ମୁଁ ଆପଣଙ୍କୁ ଫେରସ୍ତ କରୁଛି।

ସୂଚନାଯୋଗ୍ୟ ଏହି ରେସଲରମାନେ ଦୀର୍ଘ ସମୟ ଧରି ବ୍ରିଜ ଭୂଷଣଙ୍କ ବିରୋଧରେ ପ୍ରଦର୍ଶନ କରିଆସୁଥିଲେ । ଏମାନଙ୍କ ଦାବି ଥିଲା ରେସଲିଂ ଫେଡରେସନର ଅଧ୍ୟକ୍ଷ ଦାୟିତ୍ୱ ଜଣେ ମହିଳାଙ୍କୁ ଦିଆଯାଉ । କିନ୍ତୁ ବିଜେପି ସାଂସଦ ତଥା କୁସ୍ତି ମହାସଂଘର ବିଦାୟୀ ମୁଖ୍ୟ ବ୍ରିଜଭୂଷଣ ଶରଣ ସିଂହ ଘନିଷ୍ଠ ସହଯୋଗୀ ସଞ୍ଜୟ ସିଂହ ସଭାପତି ଭାବେ ବିଜୟୀ ହେବା ପରେ ହଇଚଇ ସୃଷ୍ଟି ହୋଇଛି। ବ୍ରିଜଭୂଷଣ ଶରଣ ସିଂହଙ୍କୁ ବିରୋଧ କରି ଯେଉଁ ରେସଲରମାନେ ଧାରଣାରେ ବସିଥିଲେ ସେମାନେ ମର୍ମାହତ ହୋଇଛନ୍ତି।