FeaturedGeneralLatestSports

ଭାରତୀୟ କୁସ୍ତି ମହାସଂଘ ନିଲମ୍ବିତ, ଅଧ୍ୟକ୍ଷ ସଞ୍ଜୟ ସିଂହଙ୍କ ପଦ ରଦ୍ଦ

ନୂଆଦିଲ୍ଲୀ (ସଂକେତ ଟିଭି) : କେନ୍ଦ୍ର କ୍ରୀଡା ମନ୍ତ୍ରଣାଳୟ ଭାରତୀୟ କୁସ୍ତି ମହାସଂଘ ର ନବନିର୍ବାଚିତ କାର୍ଯ୍ୟକାରିଣୀଙ୍କୁ ନିଲମ୍ବିତ କରିଛି । ମହାସଂଘର ନୂତନ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିବା ସଞ୍ଜୟ ସିଂହଙ୍କ ପଦକୁ ରବ୍ଦ କରାଯାଇଛି । ଅଧ୍ୟକ୍ଷଙ୍କ ସମେତ ପୁରା ନିର୍ବାଚିତ ଟିମକୁ ନିଲମ୍ବନ କରାଯାଇଛି । ଏହାସହିତ ସଞ୍ଜୟଙ୍କ ସମସ୍ତ ନିଷ୍ପତ୍ତି ଉପରେ ରୋକ ଲଗାଯାଇଛି ।

କିଛି ଦିନ ପୂର୍ବେ ସଞ୍ଜୟ ସିଂହ କୁସ୍ତି ମହାସଂଘର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ । ଏହାକୁ ବିରୋଧ କରି କୁସ୍ତିଯୋଦ୍ଧା ସାକ୍ଷୀ ମଲିକ କୁସ୍ତି ଛାଡ଼ିବା ନେଇ ଘୋଷଣା କରିବା ସହ ଅଲମ୍ପିକ ବିଜେତା ବଜରଙ୍ଗ ପୁନିଆ ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାର ଫେରାଇଥିଲେ । ସଞ୍ଜୟ ବ୍ରିଜଭୂଷଣ ଶରଣ ସିଂହଙ୍କ ଘନିଷ୍ଠ ସହଯୋଗୀ ହୋଇଥିବାରୁ ସେ ଅଧ୍ୟକ୍ଷ ନିର୍ବାଚିତ ହେବାକୁ ନେଇ ତୀବ୍ର ବିରୋଧ କରାଯାଇଥିଲା ।

କ୍ରୀଡା ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ଚିଠିରେ କୁହାଯାଇଛି ଯେ, ଡିସେମ୍ବର ୨୧ ତାରିଖ ଦିନ ସଞ୍ଜୟ ସିଂହ ଭାରତୀୟ କୁସ୍ତି ମହାସଂଘର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ । ଏହାପରେ ଜାତୀୟ ରେସଲିଂ ଚମ୍ପିଆନସିପ ଚଳିତ ମାସ ଶେଷ ସୁଦ୍ଧା ହେବ ବୋଲି ଘୋଷଣା କରାଯାଇଥିଲା । ତରବରିଆ ଭାବେ ଏହି ନିଷ୍ପତ୍ତି ନିଆଯାଇଛି । ପ୍ରତିଯୋଗୀମାନଙ୍କୁ ଏନେଇ କୌଣସି ସୂଚନା ଦିଆଯାଇ ନାହିଁ । ଏହା ଡବ୍ଲୁଏଫଆଇ ନିୟମ ବିରୋଧୀ ଅଟେ । ଏହି ପ୍ରତିଯୋଗିତା ପାଇଁ ୧୫ ଦିନ ସମୟ ଦିଆଯାଇଥାଏ । WFI ଅଧ୍ୟକ୍ଷ ଚିଠିରେ ଆହୁରି ମଧ୍ୟ ଉଲ୍ଲେଖ କରାଯାଇଛି ଯେ, WFIର ଧାରା ୩ (ଇ) ଅନୁଯାୟୀ, କାର୍ଯ୍ୟନିର୍ବାହୀ କମିଟି ଦ୍ୱାରା ମନୋନୀତ ହୋଇଥିବା ସ୍ଥାନରେ UWW ନିୟମ ଅନୁଯାୟୀ ସିନିୟର, ଜୁନିଅର ଏବଂ ସବ୍ ଜୁନିଅର ଜାତୀୟ ଚମ୍ପିଆନସିପ ଆୟୋଜନ କରିବା କଥା । ଏହା ପୂର୍ବରୁ ଏଜେଣ୍ଡା ଉପସ୍ଥାପନା କରିବାକୁ ପଡିଥାଏ । ଧାରା ୧୧ ଅନୁଯାୟୀ, କାର୍ଯ୍ୟନିର୍ବାହୀ କମିଟି ବୈଠକ ଲାଗି ୧୫ ଦିନ ପୂର୍ବରୁ ନୋଟିସ ଦିଆଯାଇଥାଏ । ଏଥିରେ ଏକ ତୃତୀୟାଂଶ ପ୍ରତିନିଧି ନିମନ୍ତେ କୋରମ ଆବଶ୍ୟତା ରହିଥାଏ । ସେହିପରି ଜୁରୀ କାଳୀନ ବୈଠକ ପାଇଁ ୭ ଦିନ ଆଗରୁ ନୋଟିସ ଓ ଏକ ତୃତୀୟାଂଶ ପ୍ରତିନିଧି ପାଇଁ କୋରମ ଆବଶ୍ୟକ । ନିୟମର ବିରୋଧ କରି ନୂତନ କୁସ୍ତି ମହାସଂଘ ଆଗାମୀ ଚାମ୍ପିଆନସିପ ଘୋଷଣା କରିଛି । ଏହା ନିୟମ ବିରୋଧୀ ବୋଲି କ୍ରୀଡା ମନ୍ତ୍ରଣାଳୟ କହିଛି ।

ସେପଟେ କୁସ୍ତି ମହାସଂଘର ନବନିର୍ବାଚିତ ହୋଇଥିବା ଅଧ୍ୟକ୍ଷ ସଞ୍ଜୟ ସିଂହ ନିଲମ୍ବନକୁ ବିରୋଧ କରିବା ସହ ସେ ଏହା ବିରୋଧରେ କୋର୍ଟ ଯିବେ ବୋଲି କହିଛନ୍ତି। ସେ କହିଛନ୍ତି, ‘ମୁଁ ବିମାନରେ ଥିଲି। ମୁଁ ଏପର୍ଯ୍ୟନ୍ତ ନିଲମ୍ବନ ନେଇ କୌଣସି ଚିଠି ପାଇନାହିଁ। ପ୍ରଥମେ ମୋତେ ଚିଠି ଦେଖିବାକୁ ଦିଅ, ତା’ପରେ ମୁଁ ମନ୍ତବ୍ୟ ଦେବି। ମୁଁ ଶୁଣିଲି ଯେ କିଛି କାର୍ଯ୍ୟକଳାପକୁ ବନ୍ଦ କରିଦିଆଯାଇଛି। ଯଦି ଏପରି ହୋଇଥାଏ ତା’ ହେଲେ ମୁଁ କୋର୍ଟକୁ ଯିବି।’

ଭାରତୀୟ କୁସ୍ତି ମହାସଂଘ ଉପରେ କ୍ରୀଡା ମନ୍ତ୍ରଣାଳୟ ଏହି ବଡ ଆକ୍ସନ ପରେ କୁସ୍ତି ମହାସଂଘର ପୂର୍ବତନ ଅଧ୍ୟକ୍ଷ ବ୍ରିଜ ଭୂଷଣ ଶରଣ ସିଂହ କୁସ୍ତିରୁ ସନ୍ୟାସ ନେଇଛନ୍ତି। ସେ ଖୋଦ୍‌ ଏହି ଘୋଷଣା କରିଛନ୍ତି।

ବିଜେପି ସାଂସଦ ବ୍ରିଜଭୂଷଣ ଏକ ସାମ୍ବାଦିକ ସମ୍ମିଳନୀରେ ନିଜ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ‘କୁସ୍ତି ସଙ୍ଗଠନ ସହିତ ମୋର ଆଉ କିଛି ସମ୍ପର୍କ ନାହିଁ। ସଞ୍ଜୟ ସିଂହ ମୋର ସମ୍ପର୍କୀୟ ନୁହଁନ୍ତି। କୁସ୍ତି ସଙ୍ଗଠନରୁ ମୋର ଭୂମିକା ଶେଷ ହୋଇଛି। ମୁଁ କୁସ୍ତି ସଙ୍ଗଠନ ପାଇଁ ୧୨ ବର୍ଷ ଧରି କାମ କରିଛି। ସମୟ କହିବ ମୁଁ କ’ଣ କରିଛି ନ କରିଛି। ଏବେ ରେସଲିଂ ଆସୋସିଏସନରୁ ମୁଁ ଅବସର ନେଇଛି ଏବଂ ବର୍ତ୍ତମାନ ରେସଲିଂ ଆସୋସିଏସନ୍ ସହିତ ମୋର କୌଣସି ସମ୍ପର୍କ ନାହିଁ।’

ସେ ଆହୁରି କହିଛନ୍ତି ଯେ, ସମସ୍ତ ଫେଡେରେସନ ହାତ ଟେକି ଦେଇଥିଲେ। ତେଣୁ ୧୫ରୁ ୨୦ ବର୍ଷର ପିଲା ମାନଙ୍କ ଭବିଷ୍ୟତ ଯେପରି ନଷ୍ଟ ନ ହେବ, ଏଥିପାଇଁ ନନ୍ଦୀନି ନଗର ଠାରେ ଏହି ଟୁର୍ନାମେଣ୍ଟ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଥିଲି। ଚାରି ଦିନ ମଧ୍ୟରେ ଏହି ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଥାନ୍ତା। ଦେଶର ୨୫ଟି ଫେଡେରେସନ୍ ମଧ୍ୟରୁ ୨୫ ଜଣ ହାତ ଟେକି ଦେଇଥିଲେ। ଏହି ଟୁର୍ନାମେଣ୍ଟ ୩୧ ଡିସେମ୍ବର ସୁଦ୍ଧା ଅନୁଷ୍ଠିତ ହେବାର ଥିଲା। ସରକାର ତାଙ୍କ ଦେଖାରେଖାରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି।