FeaturedLatestNews

ଜାନୁଆରୀରେ ମାଲକାନଗିରିକୁ ଆରମ୍ଭ ହେବ ବିମାନ ସେବା

ଭୁବନେଶ୍ବର (ସଂକେତ ଟିଭି) : ଆସନ୍ତା ଜାନୁଆରୀ ମାସ ପ୍ରଥମ ସପ୍ତାହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଲକାନଗିରିକୁ ବିମାନ ସେବାର ଶୁଭାରମ୍ଭ କରିବେ । ଭୁବନେଶ୍ୱରରୁ ମୁଖ୍ୟମନ୍ତ୍ରୀ ମାଲକାନଗିରି ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରୁ ନୂତନ ବିମାନ ଚଳାଚଳର ଶୁଭାରମ୍ଭ କରିବେ। ଏ ନେଇ କ୍ରୀଡ଼ା ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଆର ଭିନିଲ କ୍ରିଷ୍ଣା ନିଜ ଏକ୍ସ ଆକାଉଣ୍ଟରେ ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ ଯାତ୍ରୀବାହୀ ବିମାନ ସେବା ଆରମ୍ଭ ପାଇଁ ମାଲକାନଗିରି ବିମାନବନ୍ଦରରେ ସମସ୍ତ କାର୍ଯ୍ୟ ପ୍ରାୟ ଶେଷ ହୋଇଛି। ଏଠାରେ ୧୫୦୦/୩୦ ମିଟର୍‌ ରନୱେ, ପାଚେରୀ, ଏଟିସି ଟାୱାର, ଯାତ୍ରୀ ପ୍ରତୀକ୍ଷାଳୟ ନିର୍ମାଣ ସରିଛି। ପ୍ରଥମ ପର୍ଯ୍ୟାୟରେ ଏଠାରୁ ୯ ଆସନ ବିଶିଷ୍ଟ ବିମାନ ସେବା ଆରମ୍ଭ ହେବା ସମ୍ଭାବନା ଅଛି ଏବଂ ପରବର୍ତ୍ତି ସମୟରେ ବଡ଼ ବିମାନ ଚଳାଚଳ କରିବ। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ପକ୍ଷରୁ ମାଲକାନଗିରି ବିମାନବନ୍ଦର କାର୍ଯ୍ୟକ୍ଷମ କରିବା ଲାଗି ସମସ୍ତ ବୈଷୟିକ ସହାୟତା ପ୍ରଦାନ କରାଯାଉଛି। ଆସନ୍ତା ୨୮ ତାରିଖ ଦିନ ବାଣିଜ୍ୟ ଓ ପରିବହନ ବିଭାଗ ଏବଂ ବିମାନବନ୍ଦର କର୍ତ୍ତୃପକ୍ଷଙ୍କର ଏକ ଉଚ୍ଚପଦସ୍ତ ଟିମ୍‌ ମାଲକାନଗିରି ବିମାନବନ୍ଦର ଗସ୍ତ କରି ପ୍ରସ୍ତୁତି ଅନୁଧ୍ୟାନ କରିବା କାର୍ଯ୍ୟକ୍ରମ ରହିଛି।