EntertainmentFeaturedLatestNews

ଓଡ଼ିଆ ସିନେ-ଅଭିନେତା ବିରଞ୍ଚି ନାରାୟଣ ନାୟକ ଗିରଫ

ଭୁବନେଶ୍ବର (ସଂକେତ ଟିଭି) : ଭରତପୁର ଥାନା ପୁଲିସ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ବିରଞ୍ଚି ନାରାୟଣ ନାୟକ (୩୭)ଙ୍କୁ ଗିରଫ କରିଛି । ରାତ୍ରୀକାଳୀନ ବ୍ଲକିଂ ସମୟରେ ପୁଲିସକୁ ଗାଳିଗୁଲଜ ଓ ଆକ୍ରମଣ କରିଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିବା କୁହାଯାଉଛି । ବିରଞ୍ଚି ନୂଆପଲ୍ଲୀ ଭିଆଇପି କଲୋନୀରେ ରହୁଥିବାବେଳେ ତାଙ୍କ ଘର କାକଟପୁର ଥାନା କୋଠାମୂଳ ଗାଁରେ ।

ସୂଚନା ମୁତାବକ, ସୋମବାର ଭୋର ସମୟରେ ଭରତପୁର ଥାନାର ପାଟ୍ରୋଲିଂ ଟିମ୍ ଥାନାଧିକାରୀଙ୍କ ନିର୍ଦ୍ଧେଶ କ୍ରମେ କଳିଙ୍ଗ ଷ୍ଟୁଡ଼ିଓ ଛକ ନିକଟରେ ରାତ୍ରିକାଳୀନ ଅବରୋଧ ଓ ଗାଡି ଯାଞ୍ଚ କରୁଥିଲେ। ରାତି ପ୍ରାୟ ୧ଟା ୧୫ ସମୟରେ ବିରଞ୍ଚି ଗୋଟିଏ କାର ଚଳାଇ ରେଣ୍ଟାଲ ଛକ ପଟରୁ କଳିଙ୍ଗ ଷ୍ଟୁଡ଼ିଓ ଛକ ପଟକୁ ଆସୁଥିଲେ। ସେହି ସମୟରେ ଡ୍ୟୁଟିରେ ମୁତୟନ ଥିବା ପୁଲିସ କର୍ମଚାରୀମାନେ ତାଙ୍କୁ ଯାଞ୍ଚ ପାଇଁ କାରଟିକୁ ଅଟକାଇଥିଲେ। ପୁଲିସ କର୍ମଚାରୀଙ୍କ ବାରମ୍ବାର କହିବା ପରେ ବିରଞ୍ଚି କାରରୁ ବାହାରକୁ ବାହାରିଥିଲେ। ହଠାତ୍ ପୁଲିସ କର୍ମଚାରୀଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିବା ସହ ଆକ୍ରମଣ ମଧ୍ୟ କରିଥିଲେ। ପୁଲିସ କର୍ମଚାରୀମାନେ ବିରଞ୍ଚିଙ୍କୁ କାବୁ କରି ତଦନ୍ତ ପାଇଁ ଥାନାକୁ ଆଣିଥିଲେ। ଏ ସଂକ୍ରାନ୍ତରେ ପୁଲିସ ନିଜ ଆଡ଼ୁ ଏକ ମାମଲା ରୁଜୁ କରି ବିରଞ୍ଚିଙ୍କୁ କୋର୍ଟ ଚାଲାଣ କରିଛି।