FeaturedLatestNews

ପିଡବ୍ଲ୍ୟୁଡି ଏସ୍‌ଡିଓଙ୍କ ଠାରୁ ମାଡ ଖାଇଲେ ସରପଞ୍ଚ

ବଲାଙ୍ଗୀର(ସଂକେତ ଟିଭି) : ବଲାଙ୍ଗୀର ଜିଲା ହରିଶଙ୍କର ଶୈବପୀଠରେ ନିମ୍ନମାନର କାମ ଅଭିଯୋଗ କରି ପିଡବ୍ଲ୍ୟୁଡି ଏସ୍‌ଡିଓ ଙ୍କଠାରୁ ମାଡ ଖାଇଲେ ସରପଞ୍ଚ । ଫାଇଭ-ଟି ଅଧିନରେ ଚାଲିଥିବା ବିଭିନ୍ନ କାମର ତଦାରଖ କରିବାକୁ ପିଡବ୍ଲ୍ୟୁଡି ଏସ୍‌ଡିଓ ସିଦ୍ଧାର୍ଥ ଦାସ ହରିଶଙ୍କର ଯାଇଥିଲେ । ଏହି ସମୟରେ ଖପ୍ରାଖୋଲ ବ୍ଲକ ସରପଞ୍ଚ ଆସୋସିଏସନର ସଭାପତି ତଥା ଚଙ୍ଗରିଆ ପଞ୍ଚାୟତର ସରପଞ୍ଚ ସୁଶିଲ ଗୁରୁ ସେଠାରେ ପହଞ୍ଚି ନିମ୍ନମାନର କାମ ଚାଲିଥିବା ଅଭିଯୋଗ ଆଣିଥିଲେ।

ଏହା ଶୁଣି ପିଡବ୍ଲ୍ୟୁଡି ଏସ୍‌ଡିଓ ରାଗିଯାଇ ସବୁ କଥାରେ କାହିଁକ ବାଧା ଦେଉଛ ବୋଲି କହି ସରପଞ୍ଚଙ୍କୁ ମାଡି ବସି ନିସ୍ତୁକ ମାଡ ମାରିଥିଲେ । ଉପସ୍ଥିତ ଲୋକେ ଏସ୍‌ଡିଓଙ୍କ କବଳରୁ ସରପଞ୍ଚଙ୍କୁ ଉଦ୍ଧାର କରିଥିଲେ ।
ସେହି ସମୟର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏସଡିଓଙ୍କ ଏପରି ଆଚରଣକୁ ସାଧାରଣ ଲୋକେ ନିନ୍ଦା କରୁଛନ୍ତି । ଅନ୍ୟପଟେ ଖବର ପାଇ ହରିଶଙ୍କର ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ଏସ୍‌ଡିଓ ଓ ସରପଞ୍ଚଙ୍କୁ ଖପ୍ରାଖୋଲ ଥାନାକୁ ଆଣି ପଚରାଉଚରା କରୁଛି ।