FeaturedGeneralLatest

ଶକ୍ତିଶାଳୀ ଭୂମିକମ୍ପରେ ଥରିଲା ଜାପାନ, ବଡ ସୁନାମୀ ଆଲର୍ଟ ଜାରି

ଟୋକିଓ (ସଂକେତ ଟିଭି) : ଜାପାନରେ ବଡ ଧରଣର ଭୂକମ୍ପ ହୋଇଛି । ଏଥିରେ ହଜାର ହଜାର ଲୋକ ପ୍ରଭାବିତ ହୋଇଛନ୍ତି। ଇଶିକାୱାରେ ସମୁଦ୍ରର ଉଚ୍ଚ ତରଙ୍ଗ ଲୋକଙ୍କୁ ଭୟଭୀତ କରିଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୭.୫ ମାପ କରାଯାଇଛି । ରୁଷିଆର ଉପକୂଳବର୍ତ୍ତୀ ଅଞ୍ଚଳରେ ମଧ୍ୟ ସୁନାମି ସତର୍କ ସୂଚନା ଜାରି କରାଯାଇଛି।

ଖବର ଅନୁଯାୟୀ ଜାପାନର ପଶ୍ଚିମ ଉପକୂଳରେ ଭୂକମ୍ପ ପରେ ସୁନାମି ହେବାର ଆଶଙ୍କା ରହିଛି। ତେବେ ଇଶିକାୱା ଜିଲାର ୱାଜିମା ସହରରେ ୧.୨ ମିଟର ଉଚ୍ଚତାର ସୁନାମି ଆସିଥିବା ଜଣାପଡିଛି । ଆଗକୁ ଉତ୍ତର-ମଧ୍ୟ ଜାପାନର ଇଶିକ୍ୱାର ପଶ୍ଚିମାଂଚଳରେ ବଡ ଧରଣର ସୁନାମୀ ଆସିପାରେ ବୋଲି ଆଶଙ୍କା କରିଛି ଜାପାନ ପାଣିପାଗ ବିଭାଗ । ଲୋକଙ୍କୁ ସତର୍କ କରାଇବା ସହ ପାଖରେ ଥିବା ନିକଟସ୍ଥ ଉଚ୍ଚ ସ୍ଥାନ ଅବା ବିଲ୍ଡିଂକୁ ପଳାଇଯିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ତେବେ ଏହି ଭୂମିକମ୍ପ ପ୍ରଭାବରେ ଇଶିକାୱା ସ୍ଥିତ ନୋଟୋ ଉପଦ୍ୱୀପ ନିକଟରେ ସମୁଦ୍ରଠାରୁ ୫ ମିଟର ପର୍ଯ୍ୟନ୍ତ ଜୁଆର ହେବାର ସମ୍ଭାବନା ରହିଛି। ଫଳରେ ଉପକୂଳବର୍ତ୍ତୀ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ତୁରନ୍ତ ଘର ଖାଲି କରି ଉଚ୍ଚ ସ୍ଥାନକୁ ଯିବାକୁ କୁହାଯାଇଛି। ଏହି ଭୂମିକମ୍ପର ଝଟକା ରାଜଧାନୀ ଟୋକିଓ, କାଣ୍ଟୋ ଅଞ୍ଚଳରେ ମଧ୍ୟ ଅନୁଭୂତ ହୋଇଥିଲା। ତେବେ ଏହି ଭୂକମ୍ପ ଯୋଗୁ କୌଣସି କ୍ଷୟକ୍ଷତି ଜନିତ ଖବର ଆସିନାହିଁ।

ସୋମବାର ଜାପାନରେ ଅପରାହ୍ନ ୪ଟା ୧୦ ମିନିଟରେ ୭.୫ ତୀବ୍ରତାର ଭୂମିକମ୍ପ ଆସିବା ପରେ ଅପରାହ୍ନ ୪:୧୮ ରେ ୬.୧ ତୀବ୍ରତାର ଭୂମିକମ୍ପ, ଅପରାହ୍ନ ୪:୨୩ ରେ ୪.୫ ତୀବ୍ରତାର ଭୂମିକମ୍ପ, ୪:୨୯ ରେ ୪.୬ ତୀବ୍ରତାର ଭୂମିକମ୍ପ ଏବଂ ୪:୩୨ ରେ ୪.୮ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା।