LatestNews

ବସ୍‌ ଓ ଟ୍ରକ ମୁହାଁମୁହିଁ ଧକ୍କା, ୩ ମୃତ, ୪୦ରୁ ଅଧିକ ଆହତ

କଟକ (ସଂକେତ ଟିଭି) : କଟକ ଚାନ୍ଦବାଲି ରାସ୍ତା କଟରପଡା ଠାରେ ଯାତ୍ରୀବାହୀ ବସ୍‌ ସହ ଏକ ମାଲବାହୀ ଟ୍ରକ ମୁହାଁମୁହିଁ ଧକ୍କା ହୋଇଛି। ଘନ କୁହୁଡି କାରଣରୁ ହୋଇଥିବା ଏହି ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୪୦ରୁ ଅଧିକ ଆହତ ହୋଇଥିବା ଜଣାପଡିଛି।

ସୂଚନା ଅନୁସାରେ, ମନୋରମା ନାମକ ଯାତ୍ରୀବାହୀ ବସ୍‌ ଚାନ୍ଦବାଲିରୁ ରାଜକନିକା ଦେଇ କଟକ ଆସୁଥିଲା। ବାଟରେ ନିଶ୍ଚିନ୍ତକୋଇଲି କଟରପଡା ଠାରେ ମାଲବାହୀ ଟ୍ରକ ସହ ମୁହାଁମୁହିଁ ହୋଇଥିଲା। ସ୍ଥାନୀୟ ଲୋକ, ପୁଲିସ ଓ ଅଗ୍ନିଶମ ବିଭାଗ ବସ୍‌ରେ ଥିବା ଯାତ୍ରୀମାନଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି। ଏହି ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୪୦ରୁ ଅଧିକ ଆହତ ହୋଇଥିବା ଜଣାପଡିଛି। ଘନ କୁହୁଡି କାରଣରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି ।

ଏହି ଘଟଣା ବିଷୟରେ ସୂଚନା ପାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ନିକଟ ତମ ଆତ୍ମୀୟଙ୍କ ପାଇଁ ତିନି ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି ଏବଂ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ।

ଏଥି ସହିତ ଏହି ଦୁର୍ଘଟଣାରେ ଗୁରୁତରମାନଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତିକରାଯାଇଛି। ସେମାନଙ୍କୁ ଉତ୍ତମ ଚିକିତ୍ସା ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ସହିତ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।