FeaturedGeneralLatest

ଲ୍ୟାଣ୍ଡିଂ ବେଳେ ଜଳିଗଲା ଯାତ୍ରୀବାହୀ ବିମାନ, ଥିଲେ ୪୦୦ ଯାତ୍ରୀ

ଟୋକିଓ (ସଂକେତ ଟିଭି) : ଟୋକିଓର ହନେଡା ବିମାନ ବନ୍ଦରରେ ଏକ ଯାତ୍ରୀବାହୀ ବିମାନରେ ନିଆଁ ଲାଗିଯାଇଥିଲା। ଲ୍ୟାଣ୍ଡିଂ ବେଳେ ଏହି ବିମାନଟି ଜଳିଯାଇଥିବା ଦେଖିବାକୁ ମିଳିଥିଲା। ଦେଖୁଦେଖୁ ପୂରା ବିମାନକୁ ନିଆଁ ବ୍ୟାପିଯାଇଥିଲା । ସେହି ବିମାନରେ ପ୍ରାୟ ୪୦୦ ଯାତ୍ରୀ ଥିଲେ।

ସୂଚନା ଅନୁସାରେ, ଜାପାନ ଏୟାରଲାଇନ୍ସର ଏକ ବିମାନରେ ଅଗ୍ନିକାଣ୍ଡ ଘଟିଛି। ଯେଉଁ ବିମାନରେ ଅଗ୍ନିକାଣ୍ଡ ଘଟିଥିଲା ତାହାର ନମ୍ବର ଜେଏଏଲ୍ ୫୧୬ ଥିଲା ଏବଂ ଏହି ବିମାନ ହୋକାଇଡୋରୁ ଉଡ଼ାଣ ଭରିଥିଲା। ଜାପାନ ଏୟାରଲାଇନ୍ସ ବିମାନ ୫୧୬ ଜାପାନର ସ୍ଥାନୀୟ ସମୟ ଅପରାହ୍ଣ ୪ଟାରେ ନ୍ୟୁ ଚିଟୋସ୍ ବିମାନବନ୍ଦରରୁ ବାହାରି ୧୭ଟା ୪୦ରେ ହାନେଡାରେ ଅବତରଣ କରିବାର ଥିଲା।

ରନଓ୍ୱେରେ ତଟରକ୍ଷୀ ବାହିନୀ ବିମାନ ସହ ଜାପାନ ଏୟାରଲାଇନ୍ସର ଧକ୍କା ହେବା ପରେ ସେଥିରେ ନିଆଁ ଲାଗିଯାଇଥିବା କୁହାଯାଉଛି। ବିମାନରେ ନିଆଁ ଲାଗିବା ପରେ ତୁରନ୍ତ ଘଟଣାସ୍ଥଳରେ ଜାପାନ ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ତେବେ ଏହି ଅଗ୍ନିକାଣ୍ଡରୁ ଯାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବିମାନରୁ ଉଦ୍ଧାର କରାଯାଇଛି। ସେପଟେ ମାମଲାର ଯାଞ୍ଚ ଜାରି ରହିଥିବା କହିଛି ପରିବହନ ଓ ପର୍ଯ୍ୟଟନ ମନ୍ତ୍ରଣାଳୟ। ଜାପାନ ଏୟାରଲାଇନ୍ସର ଏହି ବିମାନରେ ପ୍ରାୟ ୪୦୦ ଯାତ୍ରୀ ଥିଲେ।