CulturalFeaturedLatestNews

ଜାନୁଆରୀ ୨୫ରୁ ଚାନ୍ଦିପୁର ସୁବର୍ଣ୍ଣ ବେଳାଭୂମି ମହୋତ୍ସବ

ବାଲେଶ୍ବର (ସଂକେତ ଟିଭି) : ଚାନ୍ଦିପୁର ବେଳାଭୂମି ମହୋତ୍ସବ ଆସନ୍ତା ଜାନୁଆରୀ 25 ତାରିଖରୁ ଆରମ୍ଭ ହୋଇ 28 ତାରିଖ ପର୍ଯ୍ଯନ୍ତ ଅନୁଷ୍ଠିତ ହେବ । ଚାରିଦିନ ଧରି ଆୟୋଜିତ ହେବାକୁ ଥିବା ଏହି ମହୋତ୍ସବର ପ୍ରତ୍ୟେକ ସନ୍ଧ୍ଯାରେ ଓଡିଶା ସରକାରଙ୍କ ବିଭିନ୍ନ ବିଭାଗର ମନ୍ତ୍ରୀ , ବିଧାୟକ, ସାଂସଦ, ବରିଷ୍ଠ ପ୍ରଶାସନିକ ଅଧିକାରୀମାନଙ୍କ ସମେତ ବହୁ ବିଶିଷ୍ଠ ବ୍ୟକ୍ତି ଅତିଥି ଭାବରେ ଯୋଗ ଦେବେ ।

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କଳା ସାହିତ୍ୟ, ସଂସ୍କୃତି ଓ ପର୍ଯ୍ଯଟନ ବିଭାଗ ଆନୁକୁଲ୍ୟରେ ପ୍ରତିଦିନ ଖ୍ୟାତନାମା କଳାକାରମାନଙ୍କ ଦ୍ବାରା ବିବିଧ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ଯକ୍ରମ ପରିବେଷଣ କରାଯିବ । ମୁମ୍ବାଇ ଓ କୋଲକାତାରୁ ମଧ୍ଯ ବିଭିନ୍ନ କଳାକାର ଏଥିର ଅଂଶଗ୍ରହଣ କରିବେ । ସ୍ଥାନୀୟ କଳାକାରମାନଙ୍କ ଦ୍ବାରା ମଧ୍ଯ ପ୍ରତିଦିନ ନୃତ୍ୟ, ଗୀତ ଇତ୍ୟାଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଶେଷ ସଂନ୍ଧ୍ୟାରେ ଆକର୍ଷଣୀୟ ଆତସବାଜୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

ପ୍ରତିରକ୍ଷା ଗବେଷଣା ଉନ୍ନୟନ ସଂସ୍ଥା ଅଧୀନରେ ଚାନ୍ଦିପୁର ଗୋଳାବାରୁଦ ପରୀକ୍ଷଣ କେନ୍ଦ୍ର, ସମନ୍ମୀତ କ୍ଷେପଣାସ୍ତ୍ର ପ୍ରକଳ୍ପ ସମେତ ଟିପିଏନଓଡିଏଲ, ଓମଫେଡ୍ ଇତ୍ୟାଦି ବିଭିନ୍ନ ସରକାରୀ, ବେସରକାରୀ ସଂସ୍ଥା ସହିତ ବିଭିନ୍ନ ଶିଳ୍ପାନୁଷ୍ଠାନ , ବ୍ୟବସାୟ ପ୍ରତିଷ୍ଠାନ ସ୍ବୟଂସହାୟିକା ଗୋଷ୍ଠୀ, ମିଶନ ଶକ୍ତି ଇତ୍ୟାଦି ପ୍ରଦର୍ଶନୀ ଷ୍ଟଲମାନ ଖୋଲିବେ । ଏହା ସହିତ ବିଭିନ୍ନ ପ୍ରକାର ଖାଦ୍ୟ ସାମଗ୍ରୀର ଷ୍ଟଲ ସମେତ ସାମୁଦ୍ରିକ ଖାଦ୍ୟର ଷ୍ଟଲ ମଧ୍ଯ ରହିବ ।

ପ୍ରତି ଅପରାହ୍ନରେ ବେଳାଭୂମୀ ଭଲିବଲ, ବାସ୍କେଟବଲ, ରିଙ୍ଗବଲ, କବାଡି ଆଦି ବିଭିନ୍ନ କ୍ରୀଡା ଆୟୋଜନ କରାଯିବ । ଏହି ମହୋତ୍ସବକୁ ସଫଳ କରିବା ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି ବୋଲି ଆୟୋଜନ କମିଟିର ସଭାପତି ତଥା ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ କମିଟିର ଉପସଭାପତି ବିପ୍ଲବ ମହାନ୍ତି, ସାଧାରଣ ସଂପାଦକ ହରେକୃଷ୍ଣ ଦାସ, ଅତିରିକ୍ତ ସାଧାରଣ ସଂପାଦକ ଭାବଗ୍ରାହୀ ମହାନ୍ତି, ସାଧାରଣ ସଂପାଦକ ଭାଗବତ ସାହୁ, କିଶୋର ଦାସ, ଡକ୍ଟର ଶ୍ରୀମାନ ଶ୍ରୀଚନ୍ଦନ, କୋଷାଧ୍ଯକ୍ଷ ମାଧବାନନ୍ଦ ମିଶ୍ର, ଆରତି ଦାସ, ସୁକୁମାର ରଣା ପ୍ରମୁଖ ଉପସ୍ଥିତ ଥିଲେ ।