LatestNews

ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଲୋକାର୍ପଣ କଲେ ନବୀନ

ଭୁବନେଶ୍ବର (ସଂକେତ ଟିଭି) : ମଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗୀର ଜିଲ୍ଲାର ବହୁପ୍ରତୀକ୍ଷିତ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି। ଏହା ସହ ସେ ୩୦୫ କୋଟି ଟଙ୍କାରେ ୬୯ଟି ଭିତ୍ତିଭୂମି ପ୍ରକଳ୍ପର ଉଦଘାଟନ ଓ ୨ ହଜାର ୨୨୦ କୋଟି ଟଙ୍କାର ୧୧୨ଟି ଭିତ୍ତିଭୂମି ପ୍ରକଳ୍ପର ଭିତ୍ତିସ୍ଥାପନ କରିଛନ୍ତି।

ଲୋୟର ସୁକତେଲ୍ ଜଳସେଚନ ପ୍ରକଳ୍ପ ଉଦଘାଟନ କରି ନବୀନ କହିଛନ୍ତି ଯେ ଲୋୟର ସୁକତେଲ୍ ବଲାଙ୍ଗୀରର କୃଷି କ୍ଷେତ୍ରରେ ରୂପାନ୍ତରଣ ଆଣିବ। ପ୍ରକଳ୍ପ ଦ୍ବାରା ୧ଲକ୍ଷ ଏକର ଜମିକୁ ପାଣି ମିଳିବ। ବଲାଙ୍ଗୀର ଓ ସୋନପୁର ଜିଲ୍ଲାର ୮୦ ହଜାରରୁ ଅଧିକ ଚାଷୀ ଉପକୃତ ହେବେ। ୭୦ ହଜାରରୁ ଅଧିକ ଲୋକଙ୍କୁ ପିଇବା ପାଣି ମିଳିବ।

ଲୋୟର ସୁକତେଲ ପ୍ରକଳ୍ପ ପାଇଁ ୨୯ ଗାଁର ଲୋକମାନେ ବହୁ ତ୍ୟାଗ କରିଛନ୍ତି। ସେମାନଙ୍କ ତ୍ୟାଗକୁ ସମ୍ମାନ ଜଣାଇବା ସହ ବଲାଙ୍ଗୀର ବିକାଶ ପାଇଁ ସେମାନଙ୍କ ତ୍ୟାଗ ମନେରହିବ ବୋଲି ନବୀନ କହିଛନ୍ତି। ଏହାଛଡ଼ା ଜିଲ୍ଲାରେ ସ୍ବାସ୍ଥ୍ୟ ଭିତ୍ତିଭୂମି, ପର୍ଯ୍ୟଟନ, ସଂସ୍କୃତି, ଶିକ୍ଷାର ଉନ୍ନତି ପାଇଁ ଅନେକ ପ୍ରକଳ୍ପ ଆରମ୍ଭ ହୋଇଛି।

ଅଗଷ୍ଟ ମାସରେ 5T ଅଧ୍ୟକ୍ଷଙ୍କ ଲୋକଙ୍କ ପାଖକୁ ଆସି ଲୋକଙ୍କ ସମସ୍ୟା ବୁଝିଥିଲେ। ଲୋକଙ୍କ ଇଚ୍ଛାକୁ ସମ୍ମାନ ଜଣାଇ ସରକାର କାମ କରୁଛନ୍ତି ବୋଲି ନବୀନ କହିଛନ୍ତି। ଜିଲ୍ଲାର ହରିଶଙ୍କର ପୀଠ ସହ ଅନ୍ୟାନ୍ୟ ମଠ ମନ୍ଦିରର ବିକାଶ କାମ ଚାଲିଛି। ସବୁ କ୍ଷେତ୍ରରେ ରୂପାନ୍ତରଣ ନୂଆ ଯୁଗ ଆସିବ। ସମସ୍ତଙ୍କ ସହଯୋଗରେ ବଲାଙ୍ଗୀର ଓଡ଼ିଶାର ବିକାଶରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବ ବୋଲି ନବୀନ କହିଛନ୍ତି।