FeaturedGeneralLatestPolitics

ଦିଲ୍ଲୀ ମହିଳା କମିସନ୍‌ ଅଧ୍ୟକ୍ଷା ସ୍ବାତୀ ମାଲିୱାଲ୍‌ଙ୍କୁ ରାଜ୍ୟସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ‘ଆପ୍‌’

ନୂଆଦିଲ୍ଲୀ (ସଂକେତ ଟିଭି) : ‘ଦିଲ୍ଲୀ ମହିଳା କମିସନ୍‌’ର (ଡିସିଡବ୍ଲୁ) ଅଧ୍ୟକ୍ଷା ସ୍ବାତୀ ମାଲିୱାଲ୍‌ଙ୍କୁ ଆଗାମୀ ରାଜ୍ୟସଭା ନିର୍ବାଚନ ନିମନ୍ତେ ‘ଆମ୍‌ ଆଦ୍‌ମି ପାର୍ଟି’ (ଆପ୍‌) ପ୍ରାର୍ଥୀ ଭାବେ ମନୋନୀତ କରିଛି। ଜାନୁଆରି ୧୯ ତାରିଖ ଦିନ ଦିଲ୍ଲୀ ପାଇଁ ରାଜ୍ୟସଭା ନିର୍ବାଚନ କରାଯିବ।

ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କ ଅଧ୍ୟକ୍ଷତାରେ ‘ଆପ୍‌’ର ‘ରାଜନୈତିକ ବ୍ୟାପାର କମିଟି’ (ପିଏସି) ବୈଠକରେ ମାଲିୱାଲ୍‌ଙ୍କ ନାମ ପ୍ରସ୍ତାବ ଦିଆଯାଇଥିଲା। ଏହାଛଡ଼ା, ସଞ୍ଜୟ ସିଂହ ଓ ଏନ୍‌. ଡି. ଗୁପ୍ତାଙ୍କୁ ଦ୍ବିତୀୟ ଥର ପାଇଁ ନିଜ ନିଜ ଆସନରୁ ପ୍ରାର୍ଥୀ କରିବା ଲାଗି ‘ଆପ୍‌’ର ରାଜନୈତିକ ବ୍ୟାପାର କମିଟି (ପିଏସି) ନିଷ୍ପତ୍ତି ନେଇଛି। ଚଳିତ ମାସ ୨୭ ତାରିଖରେ ସେମାନଙ୍କର କାର୍ଯ୍ୟକାଳ ପୂରଣ ହେବ।

ସ୍ବାତୀ ମାଲିୱାଲ୍‌ଙ୍କୁ ୨୦୧୫ରେ‘ଡିସିଡବ୍ଲୁ’ର ଅଧ୍ୟକ୍ଷା ଭାବେ ନିଯୁକ୍ତ କରାଯାଇଥିଲା। ‘ଡିସିଡବ୍ଲୁ’ର ଅଧ୍ୟକ୍ଷା ହେବା ପରେ ସେ ଦିଲ୍ଲୀରେ ଏସିଡ୍‌ ଆକ୍ରମଣ, ଯୌନ ଉତ୍ପୀଡ଼ନ ଓ ମହିଳା ସୁରକ୍ଷାଜନିତ ସମସ୍ୟା ପ୍ରତିକାର ଦିଗରେ ନେତୃତ୍ବ ନେଇଥିଲେ।