LatestNews

ଆନ୍ଦୋଳନରୁ ଓହରିଲା ଓଡିଶା ପରିବହନ ଶ୍ରମିକ ମହାସଂଘ

ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟ ସରକାରଙ୍କ ସହିତ ଆଲୋଚନା ପରେ ଓଡ଼ିଶା ପରିବହନ ଶ୍ରମିକ ମହାସଂଘ ଧର୍ମଘଟ ପ୍ରତ୍ୟାହାର କରିଛି । ସଂଶୋଧିତ ଭାରତୀୟ ନ୍ୟାୟ ସଂହିତାରେ ଡ୍ରାଇଭରଙ୍କ ପାଇଁ କରାଯାଇଥିବା କଡ଼ା ଦଣ୍ଡ ବିଧାନ ବ୍ୟବସ୍ଥା ବିରୋଧରେ ମହାସଂଘ ଆଜିଠାରୁ ଅନିର୍ଦ୍ଦିଷ୍ଟ କାଳ ଧର୍ମଘଟ ଡାକରା ଦେଇଥିଲା । ତେବେ ଆଜି ମହାସଂଘର କର୍ମକର୍ତ୍ତାମାନଙ୍କ ସହ ରାଜ୍ୟ ସରକାରଙ୍କ ଆଲୋଚନା ପରେ ଧର୍ମଘଟ ପ୍ରତ୍ୟାହାର କରାଯାଇଛି।

ହିଟ୍ ଆଣ୍ଡ ରନ୍ ମାମଲାରେ କେନ୍ଦ୍ର ସରକାରଙ୍କ ଆଇନକୁ ବିରୋଧ କରି ଆଜିଠାରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ଯନ୍ତ ଧର୍ମଘଟ କରିବାକୁ ଓଡ଼ିଶା ପରିବହନ କର୍ମଚାରୀ ସଂଘ ଡାକରା ଦେଇଥିଲା।ଫଳରେ ତତ୍‌କ୍ଷଣାତ ଏହି ସମସ୍ୟାର ସମାଧାନ ନିମନ୍ତେ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଥିଲେ । ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ଅନୁରୋଧ କ୍ରମେ ଓଡ଼ିଶା ପରିବହନ ଶ୍ରମିକ ମହାସଂଘର ୫ ଜଣିଆ ଟିମ୍‌ ରାଜ୍ୟ ସଚିବାଳୟରେ ଆଲୋଚନା ନିମନ୍ତେ ପହଞ୍ଚିଥିଲେ। ଉକ୍ତ ବୈଠକରେ ମୁଖ୍ୟ ଶାସନ ସଚିବ, ପରିବହନ କମିଶନରଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଦୀର୍ଘ ସମୟର ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିବା ଜଣାଯାଇଛି।

ଏନେଇ ମହାସଂଘ ସଭାପତି ଜନାର୍ଦ୍ଦନ ପତି କହିଛନ୍ତି ଯେ ଆଜି ମୁଖ୍ୟ ଶାସନ ସଚିବଙ୍କ ଆମନ୍ତ୍ରଣକ୍ରମେ ଏକ ବୈଠକ ହୋଇଥିଲା। ଏଥିରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ସୂଚନା ଦେଇଥିଲେ ଯେ ସେ ହିଟ୍ ଆଣ୍ଡ ରନ୍ ଆଇନ୍ ସଂପର୍କରେ କେନ୍ଦ୍ର ଗୃହ ସଚିବଙ୍କ ସହ କଥା ହୋଇଛନ୍ତି। କେନ୍ଦ୍ର ଗୃହ ସଚିବଙ୍କ କହିବା ଅନୁଯାୟୀ, ଏବେ ସରକାର ତାକୁ ଆଇନରେ ପରିଣତ କରିନାହାନ୍ତି। ଏଣୁ ସେନେଇ ଆନ୍ଦୋଳନ କରାଯିବା ଠିକ୍ ନୁହେଁ। ‌ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ଗୃହ ସଚିବଙ୍କ ବିବୃତି ପରିପ୍ରେକ୍ଷୀରେ ଜନସାଧାରଣଙ୍କ ସ୍ବାର୍ଥ ଦୃଷ୍ଟିରୁ ଧର୍ମଘଟ ପ୍ରତ୍ୟାହାର ପାଇଁ ମହାସଂଘକୁ କୁହାଯାଇଥିଲା । ଏଥିରେ ସମ୍ମତି ପ୍ରକାଶ କରି ଓଡ଼ିଶା ପରିବହନ ଶ୍ରମିକ ମହାସଂଘ ଧର୍ମଘଟ ପ୍ରତ୍ୟାହାର କରିଛି ।