FeaturedGeneralLatestPolitics

ରାଜ୍ୟସଭା ଗଲେ ଜେଲରେ ଥିବା ସଞ୍ଜୟ ସିଂଙ୍କ ସମେତ ୩ ଆପ୍‌ ନେତା

ନୂଆଦିଲ୍ଲୀ (ସଂକେତ ଟିଭି): ଆମ ଆଦମୀ ପାର୍ଟି (ଆପ)ର ତିନି ଜଣ ପ୍ରାର୍ଥୀ ନିର୍ଦ୍ବନ୍ଦ୍ବରେ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ରହିଛନ୍ତି ଜେଲରେ ଥିବା ଆପ୍‌ ନେତା ସଞ୍ଜୟ ସିଂ, ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ସ୍ବାତୀ ମାଲିୱାଲ ଓ ନାରାୟଣ ଦାସଗୁପ୍ତା । ଏମାନଙ୍କ ବିରୋଧରେ ଅନ୍ୟ କୌଣସି ରାଜନୈତିକ ଦଳ ପ୍ରାର୍ଥୀ ଦେଇନଥିବାରୁ ଆପ୍‌ର ତିନି ନେତା ନିର୍ଦ୍ବନ୍ଦ୍ବରେ ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି ।

ସୂଚନା ଅନୁସାରେ, ଆପ୍‌ର ତିନି ରାଜ୍ୟସଭା ସାଂସଦ ସଞ୍ଜୟ ସିଂ, ଏନଡି ଗୁପ୍ତା ଓ ସୁଶୀଳ କୁମାର ଗୁପ୍ତାଙ୍କ ଛଅ ବର୍ଷର କାର୍ଯ୍ୟକାଳ ଆସନ୍ତା 27 ତାରିଖରେ ଶେଷ ହେବାକୁ ଯାଉଛି । ଏଥିଲାଗି ଜାନୁଆରୀ 19 ତାରିଖରେ ରାଜ୍ୟସଭା ନିର୍ବାଚନ ଲାଗି ସମୟ ଧାର୍ଯ୍ୟ ହୋଇଥିଲା । ମାତ୍ର 3ଟି ଆସନରୁ ଜଣେ ଲେଖାଏଁ ପ୍ରାର୍ଥୀ ନାମାଙ୍କନ ପତ୍ର ଭରିଥିବାରୁ ସେମାନେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି । ନାମାଙ୍କନ ପତ୍ର ପ୍ରତ୍ୟାହାର ନେଇ ସମୟସୀମା ଶେଷ ହେବା ପରେ ଆମ ଆଦମୀ ପାର୍ଟିର 3ଜଣ ରାଜ୍ୟସଭା ପ୍ରାର୍ଥୀଙ୍କୁ ବିଜେତା ଭାବେ ଘୋଷଣା କରାଯାଇଛି ।

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଜେଲରେ ବନ୍ଦୀ ଥିବା ସଞ୍ଜୟ ସିଂଙ୍କୁ ଦଳ ଦ୍ବିତୀୟ ଥର ରାଜ୍ୟସଭା ପଠାଇଛି । ସେହିପରି ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ସ୍ବାତୀ ମାଲିୱାଲ ପ୍ରଥମ ଥର ଲାଗି ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି । ତେବେ ଏନଡି ଗୁପ୍ତା ମଧ୍ୟ ଦ୍ବିତୀୟ ଥର ଉଚ୍ଚ ସଦନ ରାଜ୍ୟସଭାକୁ ଯାଇଛନ୍ତି ।

ଦିଲ୍ଲୀ ବିଧାନସଭାରେ ମୋଟ 70 ଜଣ ବିଧାୟକଙ୍କ ମଧ୍ୟରୁ 62 ଜଣ ଆମ ଆଦମୀ ପାର୍ଟିର ରହିଛନ୍ତି । ଭାରତୀୟ ଜନତା ପାର୍ଟି ନିକଟରେ କେବଳ 8ଟି ଆସନ ରହିଛି । 3ଜଣ ରାଜ୍ୟସଭା ପ୍ରାର୍ଥୀଙ୍କ ବିଜୟ ଲାଗି ଆମ ଆଦମୀ ପାର୍ଟି ନିକଟରେ ପର୍ଯ୍ୟାପ୍ତ ସଂଖ୍ୟାବଳ ରହିଛି । ଏଥିଲାଗି ବିଜେପି ପ୍ରାର୍ଥୀ ଦେଇନଥିଲା ।