HealthLatestNews

ପ୍ରେସକ୍ରିପସନ ସ୍ପଷ୍ଟ ଭାବେ ଲେଖିବାକୁ ଡାକ୍ତରମାନଙ୍କୁ ନିର୍ଦେଶ ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର (ସଂକେତ ଟିଭି): ଡାକ୍ତରମାନଙ୍କୁ ପରିଷ୍କାର ଅକ୍ଷରରେ ପ୍ରେସ୍‌କ୍ରିପ୍‌ସନ୍‌ ଓ ଅନ୍ୟାନ୍ୟ ରିପୋର୍ଟ ଲେଖିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଡାକ୍ତର ରୋଗ ବିଷୟରେ କିମ୍ବା କଣ ମେଡିସିନ୍‌ ଲେଖିଲେ ରୋଗୀମାନେ ବୁଝି ପାରନ୍ତି ନାହିଁ । ତାହା କେବଳ ମେଡିସିନ୍‌ ଦୋକାନୀ ହିଁ ବୁଝନ୍ତି। ଯାହାକୁ ନେଇ ଗତ କିଛି ଦିନ ତଳେ ଓଡିଶା ହାଇକୋର୍ଟ ଉଦ୍‌ବେଗ ପ୍ରକାଶ କରିଥିଲେ।

ପ୍ରେସ୍‌କ୍ରିପ୍‌ସନ୍‌, ଶବ ବ୍ୟବଚ୍ଛେଦ ଓ ଅନ୍ୟାନ୍ୟ ରିପୋର୍ଟଗୁଡ଼ିକ ସାଧାରଣ ଲୋକ କ’ଣ ପ୍ରାଶାସନିକ ଅଧିକାରୀମାନଙ୍କୁ ବି ପଢ଼ିବାରେ ଅସୁବିଧା ହେଉଥିଲା । ଏଥିରେ ଉଦ୍‌ବେଗ ପ୍ରକାଶ କରିଥିଲେ ହାଇକୋର୍ଟ। ହାଇକୋର୍ଟଙ୍କ ନିର୍ଦ୍ଦେଶରେ ମୁଖ୍ୟ ଶାସନ ସଚିବ ପୋଷ୍ଟମର୍ଟମ ରିପୋର୍ଟ ଓ ପ୍ରେସକ୍ରିପସନ୍ ରିପୋର୍ଟକୁ ସୁନ୍ଦର ଓ ସ୍ପଷ୍ଟ ଭାବେ ଲେଖିବାକୁ ଡାକ୍ତରମାନଙ୍କୁ ନିର୍ଦେଶ ଦେଇଛନ୍ତି। ଡାକ୍ତରୀ ଚିଠା, ପିଏମ୍‌ ରିପୋର୍ଟ ପ୍ରାଞ୍ଜଳ ଭାବେ ଓ ସାଧାରଣ ଲୋକେ ବୁଝିପାରିବା ଭଳି ଲେଖିବାକୁ ନିର୍ଦ୍ଦେଶ ଦିଆଯାଇଛି। କ୍ୟାପିଟାଲ ଲେଟର, ଟାଇପ୍‌ କିମ୍ବା ଗୋଲ୍‌ ଗୋଲ୍‌ ଲେଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଲେଖା ଏମିତି ହେବା ଦରକାର ଯେମିତି କିଛି ସଂଶୟ ଉପୁଜୁନଥିବ ବୋଲି ନିର୍ଦ୍ଦେଶନାମାରେ ଲେଖାଯାଇଛି। ଏହାକୁ ନେଇ ସମସ୍ତ ମେଡିକାଲ ସେଣ୍ଟର, ପ୍ରାଇଭେଟ କ୍ଲିନିକ, ମେଡିକାଲ କଲେଜ ଓ ହସ୍ପିଟାଲକୁ ନିର୍ଦ୍ଦେଶ ଜାରି ହୋଇଛି। ସ୍ପଷ୍ଟ ଅକ୍ଷର କିମ୍ବା ସ୍ବତନ୍ତ୍ର ପ୍ରକାର ଫର୍ମରେ ପ୍ରେସକ୍ରିପସନ, ମେଡିକୋ-ଲିଗାଲ ରିପୋର୍ଟ ଲେଖିବା ଲାଗି ନିର୍ଦ୍ଦେଶ ଦିଆଯାଇଛି।