FeaturedLatestNewsPolitics

ମୁଖ୍ୟମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଟାର୍ଗେଟ ପରେ ଜବାବ ରଖିଲେ ପ୍ରଣବ

ଭୁବନେଶ୍ୱର (ସଂକେତ ଟିଭି) କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତୀବ୍ର ସମାଲୋଚନା କରିଛନ୍ତି । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ସାମିଲ ହୋଇ ଧର୍ମେନ୍ଦ୍ର ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି। ସେ ସ୍ୱାସ୍ଥ୍ୟ, ଶିକ୍ଷା, ଜଳସେଚନ ଓ ଆଇନଶୃଂଖଳା ସମେତ ଏକାଧିକ ପ୍ରସଙ୍ଗ ଉଠାଇ ଏହା କେମିତିକା ରୂପାନ୍ତରଣ ବୋଲି ପଚାରିଛନ୍ତି । ସେ ଆହୁରି କହିଛନ୍ତି, ଏନ୍‌ସିଆର୍‌ବି ରିପୋର୍ଟରେ ଓଡ଼ିଶାର ସ୍ଥିତି ଅତ୍ୟନ୍ତ ଖରାପ। ମହିଳା ଅତ୍ୟାଚାର କ୍ଷେତ୍ରରେ ସବୁଠାରୁ ଖରାପ ୩ ରାଜ୍ୟ ଭିତରେ ଓଡ଼ିଶା ରହିଛି। ମୁଖ୍ୟମନ୍ତ୍ରୀ ଶ୍ୱେତପତ୍ର ଜାରି କରନ୍ତୁ ବୋଲି ସେ ଦାବି କରିଛନ୍ତି।

ସେପଟେ ଧର୍ମେନ୍ଦ୍ରଙ୍କ ଏହି ଟାର୍ଗେଟ ପରେ ଏହାର ଜବାବ ରଖିଛନ୍ତି ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ । ସେ ସାମାଜିକ ଗଣମାଧ୍ୟମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରକୁ କଟାକ୍ଷ କରିଛନ୍ତି। ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ପ୍ରଣବ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ଓଡ଼ିଶା ପାଇଁ କଣ କରିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି। ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଭାବେ ଗୋଟେ ନୂଆ ୟୁନିଭର୍ସିଟି, ନାଁ ଗୋଟିଏ କେନ୍ଦ୍ରୀୟ ବିଦ୍ୟାଳୟ କିମ୍ବା ଜବାହର ନବୋଦୟ ବିଦ୍ୟାଳୟଟେ ମଧ୍ୟ ଧର୍ମେନ୍ଦ୍ର ପ୍ରଧାନ କରିନାହାନ୍ତି। ଏପରିକି ନିଜ ଅଞ୍ଚଳ ଦେଇ ଯାଇଥିବା ଜାତୀୟ ରାଜପଥ-୫୫ର କାମ ୧୦ ବର୍ଷ ହେଲା ସରୁନଥିଲେ ମଧ୍ୟ କେନ୍ଦ୍ରମନ୍ତ୍ରୀ ହସ୍ତକ୍ଷେପ କରୁନାହାନ୍ତି। ରାସ୍ତା ଖରାପ କାରଣରୁ ଲୋକଙ୍କ ଜୀବନ ଯାଉଛି ହେଲେ କେନ୍ଦ୍ରମନ୍ତ୍ରୀଙ୍କୁ ଫରକ ପଡୁନି।

ପ୍ରକାଶ ଲେଖିଛନ୍ତି ‘‘ ଧର୍ମେନ୍ଦ୍ର ଭାଇ, ଆପଣଙ୍କୁ ଆଇନା ଦେଖାଇଲେ ଏତେ ଚିଡି ଯାଉଛନ୍ତି କଣ ପାଇଁ ? ୩ଟି ସାଧାରଣ ପ୍ରଶ୍ନ ଆପଣଙ୍କୁ ପଚରାଯାଇଥିଲା। ୧ – ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଉଛନ୍ତି। ହେଲେ ନିଜ ମାଟି ପାଇଁ ଗୋଟେ ନୂଆ ୟୁନିଭର୍ସିଟି କରିବା ଛାଡ଼ନ୍ତୁ, ନିଜ ଜିଲ୍ଲା ଅନୁଗୋଳ ପଡୋଶୀ ଢେଙ୍କାନାଳ ଓ ସମ୍ବଲପୁରରେ ଗୋଟିଏ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ କିମ୍ବା ଜବାହର ନବୋଦୟ ବିଦ୍ୟାଳୟଟେ ମଧ୍ୟ କରିନାହାନ୍ତି। ୨ – ଦକ୍ଷତା ବିକାଶ କେନ୍ଦ୍ରଟେ ବି ସ୍ଥାପନ କରିନାହାନ୍ତି। ୩ – NH-55ର ଅବସ୍ଥା ଯାହା ରହିଛି ଗତ ୧୦ ବର୍ଷରେ କାମ ସରିପାରୁନି। ଆମେ ଖବର ପାଇଲୁ ଜାତୀୟ ରାଜପଥ ଦେଇ ଆପଣ ଯିବା ବଦଳରେ ରାଜ୍ୟ ରାଜପଥକୁ ଭରସା କରୁଛନ୍ତି। କେନ୍ଦ୍ରମନ୍ତ୍ରୀଭାବେ କେ.ପି.ସିଂଦେଓ ଦାୟିତ୍ୱ ତୁଲାଇବାବେଳେ ଆଇଆଇଏମସି ସହ ଅନ୍ୟ କେନ୍ଦ୍ରୀୟ ପ୍ରକଳ୍ପ ନିଜ ଜିଲ୍ଲା ପାଇଁ କାର୍ଯ୍ୟକାରୀ କରିଥିଲେ। ଲାଗୁଛି ପ୍ରଶ୍ନ ସବୁ ଶୁଣି ଆପଣ ରାଗିଯାଇଛନ୍ତି ଓ ରକ୍ତଚାପ ବଢ଼ିଯାଇଛି। ଆପଣ ଅନ୍ତର୍ଜାତୀୟ ଯୋଗ ଦିବସରେ ଯୋଗକରିଥିବା ଦେଖିଥିଲି। ଅନୁରୋଧ କରୁଛି ଏବେ ନିୟମିତ ଭାବେ ଯୋଗ କରନ୍ତୁ।’’