FeaturedGeneralLatest

ପାକିସ୍ତାନର ଉପରେ ଇରାନର ଏୟାର ଷ୍ଟ୍ରାଇକ୍

ଇସଲାମାବାଦ (ସଂକେତ ଟିଭି): ପାକିସ୍ତାନର ବାଲୁଚିସ୍ତାନ ପ୍ରଦେଶ ଉପରେ ଇରାନ ଏୟାର ଷ୍ଟ୍ରାଇକ୍ କରିଛି । ପାକିସ୍ତାନରେ ଥିବା ଆତଙ୍କବାଦୀ ସଂଗଠନ ଜୈଶ-ଏ-ଅଦଲ ଠିକଣାକୁ ଇରାନ ଟାର୍ଗେଟ କରିଥିଲା। ଆକ୍ରମଣ ପାଇଁ ଇରାନ ଡ୍ରୋନ୍ ଏବଂ ମିସାଇଲ୍‌ ବ୍ୟବହାର କରିଥିଲା। ଏହି ଆକ୍ରମଣରେ ଅନେକ ଆତଙ୍କବାଦୀ ନିହତ ହୋଇଥିବା ଇରାନ ଦାବି କରିଛି।

ଅପରପକ୍ଷେ ପାକିସ୍ତାନ ଏହି ଆକ୍ରମଣକୁ ନିନ୍ଦା କରି କହିଛି, ଆକ୍ରମଣରେ ଦୁଇ ଶିଶୁଙ୍କର ମୃତ୍ୟୁ ହୋଇଛି ଏବଂ ତିନି ଜଣ ଶିଶୁ ଆହତ ମଧ୍ୟ ହୋଇଛନ୍ତି। ଆକ୍ରମଣ ପରେ ପାକିସ୍ତାନ ଇରାନର ମୁଖ୍ୟ କୂଟନୀତିଜ୍ଞଙ୍କୁ ସମନ କରିଛି ଏବଂ ଆକାଶ ସୀମାର ଉଲ୍ଲଂଘନକୁ ନିନ୍ଦା କରିଛି। ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ଏହି ଘଟଣାର ନିନ୍ଦା କରି ଏହାକୁ ଇରାନ ଦ୍ୱାରା ଏହାର ଆକାଶ ମାର୍ଗର ଉଲ୍ଲଂଘନ ବୋଲି ବର୍ଣ୍ଣନା କରିଛି। ପାକ୍ ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ, ଆମ ଆକାଶ ସୀମା ଉଲ୍ଲଂଘନ କରିବାର ପରିଣାମ ଭୟଙ୍କର ହୋଇପାରେ।

ପାକିସ୍ତାନ ବୁଧବାର ଇରାନରୁ ନିଜର ରାଷ୍ଟ୍ରଦୂତଙ୍କୁ ଫେରାଇ ଆଣିଛି। ସେହିଭଳି ପାକିସ୍ତାନରେ ଥିବା ଇରାନର ରାଷ୍ଟ୍ରଦୂତଙ୍କୁ ମଧ୍ୟ ବର୍ତ୍ତମାନ ନ ଫେରିବାକୁ କୁହାଯାଇଛି।

ସୂଚନା ମୁତାବକ, ଜୈଶ-ଏ-ଅଦଲ ଆତଙ୍କବାଦୀମାନେ ସୀମା ନିକଟରେ ଇରାନ ସେନା ଉପରେ ଆକ୍ରମଣ କରିଥିଲେ। ଏହାର ଜବାବରେ ଇରାନ ଏହି ପଦକ୍ଷେପ ଗ୍ରହଣ କରିଛି। ମଙ୍ଗଳବାର ଇରାନ ଗଣମାଧ୍ୟମ ନିଜ ରିପୋର୍ଟରେ କହିଛି ଯେ, ଇରାନର ରିଭୋଲ୍ୟୁସନାରୀ ଗାର୍ଡ଼ମାନେ ଜୈଶ-ଏ-ଅଦଲର ଠିକଣାରେ ଏୟାର ଷ୍ଟ୍ରାଇକ କରିଥିବା ଦାବି କରିଛନ୍ତି। ଏହି ଆତଙ୍କବାଦୀ ସଂଗଠନ ଇରାନର ସୁରକ୍ଷା ବାହିନୀ ଉପରେ ଆକ୍ରମଣ କରିଥିଲା। ସେମାନେ ପାକିସ୍ତାନ ଏବଂ ଇରାନର ସୀମାରେ ଆକ୍ରମଣ କରିଥିଲେ। ସେହି ଆକ୍ରମଣର ପ୍ରତିଶୋଧ ନେଇ ଇରାନ ଆତଙ୍କବାଦୀ ସଂଗଠନକୁ ଟାର୍ଗେଟ କରିଛି।