CulturalLatestNews

ଲୋକାର୍ପିତ ହେଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ

ପୁରୀ (ସଂକେତ ଟିଭି): ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକାର୍ପିତ କରିଛନ୍ତି। ଗଜପତି ମହାରାଜା ଦିବ୍ୟସିଂହଙ୍କ ଉପସ୍ଥିତିରେ ମୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ହୋଇଛି।

ସମୟ ଅପରାହ୍ନ ଗୋଟାଏ ୧୫ ରୁ ସାଢ଼େ ଗୋଟାଏ ମଧ୍ୟରେ ବିଶ୍ବ ଦେଖିଛି କୋଟି କୈବଲ୍ୟଙ୍କ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ। ମୁଖ୍ଯମନ୍ତ୍ରୀ ଲୋକାର୍ପଣ ଫଳକରେ ନଡ଼ିଆ ପିଟି ଲୋକାର୍ପିତ କରିଛନ୍ତି। ସେହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଉପସ୍ଥିତ ଥିଲେ। ପରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମହାଯଜ୍ଞରେ ପୂର୍ଣ୍ଣାହୁତି ପ୍ରଦାନ କରିଛନ୍ତି । ପୂର୍ଣ୍ଣାହୁତି ବେଳେ ମୁଖ୍ୟମନ୍ତ୍ରୀଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।

ହୋମ ଯଜ୍ଞ ସରିବା ପରେ ଅନ୍ତଃ ପ୍ରଦକ୍ଷିଣ ପଥରେ ଅଧଘଣ୍ଟା ଧରି ନାମ ସଂକୀର୍ତ୍ତନ ଶୋଭାଯାତ୍ରା ଚାଲିବ । ଏହା ଆଗରୁ ପଞ୍ଚକର୍ମ, ଶାଳା ପ୍ରବେଶ ଓ ନୂତନ ନିର୍ମାଣ ସ୍ଥଳରେ ସଂସ୍କାରିତ ଜଳ ସିଞ୍ଚନ ହୋଇଛି। ଚାରି ଦ୍ୱାରରେ ବେଦ ପାଠ ମଧ୍ୟ କରାଯାଇଛି।

ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବରେ ଆଜି ରଥଯାତ୍ରା ଭଳି ପୁରୀକୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ଏଥିପାଇଁ ଭବ୍ୟ ଆୟୋଜନ ହୋଇଛି। ଲୋକାର୍ପଣ ଲାଗି ଆଲୋକମାଳା ଓ ଅନ୍ୟାନ୍ୟ ସାଜସଜାରେ ଝଟକୁଛି ଶ୍ରୀମନ୍ଦିର ସହ ଲୋକାର୍ପଣ ଅପେକ୍ଷାରେ ଥିବା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ଚାରିଦ୍ବାରକୁ ଆଲୋକମାଳାରେ ଏଭଳି ଭରି ଦିଆଯାଇଛି ଯେ ଭକ୍ତ କ୍ଷଣିକ ପାଇଁ ଅଟକିଯାଉଛି। ସିଂହଦ୍ବାରରେ ରଙ୍ଗବେରଙ୍ଗର ପାରମ୍ପରିକ ଝୋଟି କଳା ବି ଆକର୍ଷଣକୁ ଦ୍ବିଗୁଣିତ କରି ଦେଉଛି। ସେ ପଶ୍ଚିମଦ୍ବାର ହେଉ କି ଉତ୍ତର ଅବା ଦକ୍ଷିଣଦ୍ବାର, ସବୁଠି ଆଲୋକର ପ୍ରତିବିମ୍ବ ପ୍ରକଳ୍ପକୁ ଅପରୂପ ସୌନ୍ଦର୍ଯ୍ୟରେ ଭରି ଦେଉଛି। ‘ଫେକେଡ୍ ଇଲ୍ୟୁମିନେସନ୍’ ଜରିଆରେ ଶ୍ରୀମନ୍ଦିର ଓ ନୀଳଚକ୍ରକୁ ବି ସମ୍ପୂର୍ଣ୍ଣ ଆଲୋକରେ ଆଲୋକିତ କରାଯାଇଛି।

ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ପୁନରୁଦ୍ଧାର ହୋଇଥିବା ମଠ, ମନ୍ଦିରକୁ ବି ଆଲୋକମାଳାରେ ସଜାଯାଇଛି। ମଠ, ମନ୍ଦିରର କାରୁକାର୍ଯ୍ୟ ଫୁଟି ବାହାରୁଛି। ପୁଣି ଶ୍ରୀମନ୍ଦିରର ଚାରିଦ୍ବାରରେ ଫୁଲର ବ୍ୟାପକ ସାଜସଜା କରାଯାଇଛି। ମଠ, ମନ୍ଦିରକୁ ବି ଫୁଲରେ ପୁଣି ସଜାଯାଇଛି। ଚାରିଦ୍ବାରେ ରଙ୍ଗବେରଙ୍ଗ ଫୁଲକୁଣ୍ଡରେ ସଜ୍ଜିତ କରାଯାଇଛି। ଏହା ସାଙ୍ଗକୁ ସବୁଜ ବଳୟ ଆଧ୍ୟାତ୍ମିକତାର ମହକ ଭରି ଦେଉଛି।