CulturalFeaturedGeneralLatest

ଜାନୁଆରି ୨୨ରେ ଅଧା ଦିନର ଛୁଟି ଘୋଷଣା କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ (ସଂକେତ ଟିଭି): ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଦିନ ଅର୍ଥାତ ଜାନୁଆରି ୨୨ ତାରିଖ‌ରେ ସମ୍ପୂର୍ଣ୍ଣ ଦେଶରେ କେନ୍ଦ୍ର ସରକାର ଅଧାଦିନର ଛୁଟି ଘୋଷଣା କରିଛନ୍ତି । ଏହି ଅବସରରେ କେନ୍ଦ୍ର ସରକାର ଅଧୀନରେ ଥିବା ସମସ୍ତ ସଂସ୍ଥାର କାର୍ଯ୍ୟାଳୟ, କେନ୍ଦ୍ରୀୟ ପ୍ରତିଷ୍ଠାନ, ଶିକ୍ଷାନୁଷ୍ଠାନ ଓ କେନ୍ଦ୍ରୀୟ ଉଦ୍ୟୋଗ ଆଦି ଅପରାହ୍ନ ପର୍ଯ୍ୟନ୍ତ ବନ୍ଦ ରଖାଯିବ ।

କେନ୍ଦ୍ର ସରକାରଙ୍କ ଦ୍ବାରା ଜାରି କରାଯାଇଥିବା ଚିଠିରେ ଉଲ୍ଲେଖ ରହିଛି କି, କର୍ମଚାରୀଙ୍କ ଭାବନା ଓ ସେମାନଙ୍କ ଅନୁରୋଧ କ୍ରମେ କେନ୍ଦ୍ର ସରକାର ଦେଶରେ ଅଧାଦିନର ଛୁଟି ଘୋଷଣା କରିଛନ୍ତି। କେନ୍ଦ୍ର ରାଜ୍ୟ ମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି, ‘ ରାମ ମନ୍ଦିର ପ୍ରାଣପ୍ରତିଷ୍ଠା ଅବସରରେ ସମ୍ପୂର୍ଣ୍ଣ ଭାରତରେ ସମସ୍ତ ସରକାରୀ କାର୍ଯ୍ୟାଳୟ, କେନ୍ଦ୍ରୀୟ ସଂସ୍ଥା ଓ କେନ୍ଦ୍ରୀୟ ଶିଳ୍ପ ପ୍ରତିଷ୍ଠାନଗୁଡ଼ିକ ଜାନୁଆରି ୨୨ ତାରିଖ ଦ୍ବିପହର ୨.୩୦ ପର୍ଯ୍ୟନ୍ତ ବନ୍ଦ ରହିବ। ଅର୍ଥାତ ଅଧାଦିନ ପର୍ଯ୍ୟନ୍ତ ଛୁଟି ରହିବ। ଏହା ଏଥିପାଇଁ ନିଷ୍ପତ୍ତି ନିଆଯାଇଛି କି ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମର ସିଧାପ୍ରସାରଣକୁ ଜନସାଧାରଣ ସୁବିଧାରେ ଦେଖି ପାରିବେ।

ପୂର୍ବରୁ ଉତ୍ତର ପ୍ରଦେଶ ସରକାର ଏହି ଦିନକୁ ସାରା ରାଜ୍ୟରେ ଛୁଟି ଘୋଷଣା କରିସାରିଛନ୍ତି । ସେହିପରି ସେହିଦିନ ଉତ୍ତର ପ୍ରଦେଶରେ ଡ୍ରାଏ ଡେ’ ମଧ୍ୟ ପାଳନ ହେବ । ରାଜ୍ୟର ସମସ୍ତ ସ୍ଥାନରେ ମଦବିକ୍ରି ବନ୍ଦ ରଖାଯିବ ।