LatestNews

ଓଡ଼ିଶାରୁ ଅଧିକ ୧୦ ଲକ୍ଷ ମେଟ୍ରିକ୍ ଟନ୍ ଉଷୁନା ଚାଉଳ ସଂଗ୍ରହ କରିବ କେନ୍ଦ୍ର

ନୂଆଦିଲ୍ଲୀ (ସଂକେତ ଟିଭି) ଖରିଫ୍ ବିପଣନ ଋତୁରେ କେନ୍ଦ୍ର ସରକାର ଓଡ଼ିଶାରୁ ଅଧିକ ୧୦ ଲକ୍ଷ ମେଟ୍ରିକ୍ ଟନ ଉଷୁନା ଚାଉଳ ସଂଗ୍ରହ କରିବେ । କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପତ୍ର ଲେଖିବା ପରେ ଏଥି ନେଇ କେନ୍ଦ୍ର ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠିର ପ୍ରତ୍ୟୁତ୍ତରରେ କେନ୍ଦ୍ରମନ୍ତ୍ରୀ ପିୟୂଷ ଗୋୟଲ କହିଛନ୍ତି ଭାରତୀୟ ଖାଦ୍ୟ ନିଗମ(ଏଫସିଆଇ) ଦ୍ୱାରା ଓଡ଼ିଶାରୁ ଅଧିକ ୧୦ ଲକ୍ଷ ମେଟ୍ରିକ୍ ଟନ ଉଷୁନା ଚାଉଳ ସଂଗ୍ରହ କରିବା ପାଇଁ କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ ମଞ୍ଜୁରୀ ପ୍ରଦାନ କରିଛନ୍ତି ।

ସୂଚନା ଅନୁସାରେ, ଗତ ଜାନୁଆରୀ ୧୬ ତାରିଖରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଭାଗୀୟ ମନ୍ତ୍ରୀ ପିୟୂଷ ଗୋୟଲଙ୍କୁ ଚିଠି ଲେଖି ଏ ସମ୍ପର୍କରେ ଅବଗତ କରାଇଥିଲେ । ସେ କହିଥିଲେ ଚଳିତ ଥର ଓଡ଼ିଶାରେ ଭଲ ଅମଳ ହୋଇଥିବା କାରଣରୁ ରାଜ୍ୟରୁ ମୋଟ ପ୍ରାୟ ୭୯ ଲକ୍ଷ ମେଟ୍ରିକ ଟନ୍ ଖରିଫ ଚାଉଳ ସଂଗ୍ରହ କରାଯିବା ନେଇ ଆକଳନ କରାଯାଇଛି । ପ୍ରାରମ୍ଭିକ ଆବଣ୍ଟନରେ କେନ୍ଦ୍ର ସରକାର ୨୦୨୩-୨୪ ଖରିଫ ବିପଣନ ଋତୁରେ ୪୪.୨୮ ଲକ୍ଷ ମେଟ୍ରିନ ଟନ୍ ଚାଉଳ କିଣିବା ନେଇ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ।

ତେବେ ଏନ୍ଏଫ୍ଏସ୍ଏ, ଏସଏଫଏସଏ ଏବଂ ଅନ୍ୟାନ୍ୟ କଲ୍ୟାଣମୂଳକ ଯୋଜନା ପାଇଁ ଓଡ଼ିଶା ସରକାରଙ୍କ ନିଜସ୍ୱ ଚାଉଳର ଆବଶ୍ୟକତା ପୂରଣ କରିବା ବ୍ୟତୀତ ପର୍ଯ୍ୟାପ୍ତ ପରିମାଣର ଉଷୁନା ଚାଉଳ ବଳକା ରହିଯାଇପାରେ । ଏହି ବଳକା ଚାଉଳ ଏଫସିଆଇ ଦ୍ୱାରା ଉଠାଣ ହେବାର ଆବଶ୍ୟକତା ରହିଛି ।