FeaturedLatestNews

ଦ୍ଵାରଶୁଣୀ ଘାଟିରେ ଓଲଟିଲା ଯାତ୍ରାପାର୍ଟି ଟ୍ରକ୍‌, ୬ ମୃତ,୯ ଗୁରୁତର

ବାରିପଦା :(ସଂକେତ ଟିଭି)ମୟୁରଭଞ୍ଜ ଜିଲ୍ଲା ୪୯ନମ୍ବର ଜାତୀୟ ରାଜପଥ ଦୁଆରଶୁଣି ଘାଟିରେ ଭାରସାମ୍ୟ ହରାଇ ଧଉଳି ଗଣନାଟ୍ୟ ଯାତ୍ରାପାର୍ଟିର ଲାଇଟ ଓ ସାଉଣ୍ଡ ବୋଝେଇ ଟ୍ରକ ଓଲଟି ପଡିଛି। ଏହି ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଗୁରୁତର ହୋଇଥିବା ଜଣାପଡିଛି।

ସୂଚନା ଅନୁସାରେ ଦୁଆରଶୁଣି ଘାଟିରେ ଘାଟିରେ ଏକ ମେଳା ଚାଲିଛି । ଏନେଇ ଜାତୀୟ ରାଜପଥ ଭିଡ଼ ରହିଥିବା ବେଳେ ଘାଟିରୁ ଓହ୍ଲାଉଥିବା ବେଳେ ଭାରସାମ୍ୟ ହରାଇ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଦୁର୍ଘଟଣା ପରେ ଆହତ ମାନଙ୍କୁ ଉଦ୍ଧାର କରି ନିକଟସ୍ଥ ବାଙ୍ଗିରିପୋଷି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରଯାଇଛି। ଘଟଣା ସ୍ଥଳରେ ବାଙ୍ଗିରିପୋଷି ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ବାଙ୍ଗିରିପୋଷି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ ସହ ସ୍ଥିତି ନିୟନ୍ତ୍ରଣ କରୁଛି।

ଏହି ଧଉଳି ଗଣନାଟ୍ୟ ଯାତ୍ରା ପାର୍ଟି ଟ୍ରକରେ ୨୦ରୁ ଉର୍ଦ୍ଧ୍ବ ଜଣ ଥିବା ବେଳେ ଟ୍ରକର ଡ୍ରାଇଭରଙ୍କ ଭୁଲ୍ ପାଇଁ ଟ୍ରକ ଓଲଟିଲା ବୋଲି ଟ୍ରକ୍ ରେ ଥିବା କଳାକାର ଅରବିନ୍ଦ ସାହୁ କହିଛନ୍ତି। ଡ଼୍ରାଇଭର ଜଣଙ୍କ ଏହି ରାସ୍ତା ପାଇଁ ସଂପୂର୍ଣ୍ଣ ନୁଆ ହୋଇଥିବା ବେଳେ ବ୍ରେକ ଫେଲ ହେବାରୁ ଟ୍ରକ୍ ଓଲଟିଲା ବୋଲି ସେ କହିଛନ୍ତି ।ଟ୍ରକ୍ ଓଲଟିଲା ପରେ ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇ ଯାଇଛି।

ସେପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ସଭିଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କୁ ଗଭୀର ସମବେଦନା ଜଣାଇଛନ୍ତି। ଏଥିସହ ଆହତମାନଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି। ମୁଖ୍ୟମନ୍ତ୍ରୀ ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି। ସେହିପରି ଗୁରୁତରମାନଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।