FeaturedGeneralLatestPolitics

ଏନଡିଏକୁ ଫେରିବେ ନୀତିଶ କୁମାର, ବିହାରରେ ହେବ ନୂଆ ସରକାର

ପାଟନା :(ସଂକେତ ଟିଭି)ଆସନ୍ତା ଦୁଇରୁ ତିନି ଦିନ ଭିତରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆରଜେଡି ସହ ମହାଗଠବନ୍ଧନ ମେଣ୍ଟ ଭାଙ୍ଗି ଏନଡିଏ ସହ ମିଶି ସରକାର ଗଢିପାରନ୍ତି । ଆସନ୍ତା ୨୮ ତାରିଖରେ ନୀତିଶ ଜେଡିୟୁ-ବିଜେପି ମେଣ୍ଟ ସରକାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ନେଇ ଚର୍ଚ୍ଚା ଜୋର ଧରିଛି । ତାଙ୍କ ସହିତ ବିଜେପିର ସୁଶୀଲ ମୋଦି ପୁଣିଥରେ ଉପମୁଖ୍ୟମନ୍ତ୍ରୀ ପଦକୁ ଫେରିବା ନେଇ ଚର୍ଚ୍ଚା ହେଉଛି ।

ତେବେ ଯଦି ଏଭଳି ଘଟେ ତାହେଲେ ଲୋକସଭା ନିର୍ବାଚନ ପୂର୍ବରୁ ଇଣ୍ଡିଆ ମେଣ୍ଟକୁ ଜବରଦସ୍ତ ଝଟ୍‌କା ଲାଗିବ । ସୂଚନା ମିଳିଛି, ଜେଡିୟୁ ନିଜର ସବୁ ବିଧାୟକଙ୍କୁ ପାଟନା ଡକାଇଛି । ସେହିପରି ଦଳ ନିଜର ସବୁ କାର୍ଯ୍ୟକ୍ରମକୁ ମଧ୍ୟ ରବ୍ଦ କରିଦେଇଛି । ଆସନ୍ତା ୨୮ ତାରିଖରେ ପାଟନାରେ ଜେଡୟୁର ମହାରାଣା ପ୍ରତାପ ରାଲି ଥିବାବେଳେ ତାକୁ ମଧ୍ୟ ସ୍ଥଗିତ ରଖାଯାଇଥିବା ସୂଚନା ଆସୁଛି ।

ସେପଟେ ବିଜେପିର ତମାମ୍ ନେତା ଦିଲ୍ଲୀରେ ହାଇକମାଣ୍ଡଙ୍କ ସହ ଘନ ଘନ ବୈଠକ କରୁଛନ୍ତି । ଏନଡିଏର ସହଯୋଗୀ ଦଳଗୁଡିକ ସହିତ ମଧ୍ୟ ଆଲୋଚନା କରାଯାଉଛି । ଏହାରି ମଧ୍ୟରେ ବିଜେପି ରାଜ୍ୟସଭା ସାଂସଦ ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି ଏନେଇ ବଡ ସଙ୍କେତ ଦେଇଛନ୍ତି । ଜେଡିୟୁକୁ ନେଇ ବିଜେପି ନେତା କହିଛନ୍ତି, ରାଜନୀତିରେ ଦ୍ବାର ସବୁବେଳେ ବନ୍ଦ ରହିନଥାଏ । ଆବଶ୍ୟକ ପଡିଲେ ଦ୍ବାର ବନ୍ଦ କରାଯାଏ ଏବଂ ଖୋଲା ବି ଯାଏ ।