CulturalLatestNews

ସମଲେଶ୍ୱରୀ ପୀଠର ରୂପାନ୍ତରଣ ପ୍ରକଳ୍ପର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ସମ୍ବଲପୁର :(ସଂକେତ ଟିଭି) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସମ୍ବଲପୁରରେ ପହଞ୍ଚି ମା’ଙ୍କ ଦର୍ଶନ କରିବା ସହ ‘ସମଲେଇ ପ୍ରକଳ୍ପ’ର ଶୁଭ ଲୋକାର୍ପଣ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ ଉପସ୍ଥିତ ଥିଲେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ସମଲେଇ ମନ୍ଦିର ପ୍ରକଳ୍ପ ଲୋକାର୍ପଣ ହେବା ପରେ ସେ ୪୦ ଏକର ଜମିରେ ହୋଇଥିବା ପ୍ରକଳ୍ପ ବୁଲି ଦେଖିଥିଲେ।

 ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀ ମଧ୍ୟାହ୍ନରେ ଜମାଦାରପାଲି ଏୟାରଷ୍ଟ୍ରିପରେ ବିମାନ ଯୋଗେ ପହଞ୍ଚିଥିଲେ। ସେଠାରୁ ସମଲେଇ ମନ୍ଦିରକୁ ଯାଇ ମନ୍ଦିର ଲୋକାର୍ପଣ କରିଥିଲେ। ମୁଖ୍ୟମନ୍ତ୍ରୀ ହୋମ ଯଜ୍ଞରେ ଯୋଗ ଦେଇ ମା’ଙ୍କୁ ଆରଧନା କରିଛନ୍ତି। ପରେ ମୁଖ୍ୟମନ୍ତ୍ରୀ ବ୍ୟାଟେରି ଗାଡ଼ିରେ ବସି ସମ୍ପୂର୍ଣ୍ଣ ସମଲେଶ୍ୱରୀ ପ୍ରକଳ୍ପ ବୁଲି ଦେଖିଛନ୍ତି।

ତେବେ ସମଲେଶ୍ୱରୀ ପୀଠର ରୂପାନ୍ତରଣ ପ୍ରକଳ୍ପର ଲୋକାର୍ପଣ ପୂର୍ବରୁ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାର୍ତ୍ତା ରଖିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ, ମା’ ସମଲେଶ୍ୱରୀ ହେଉଛନ୍ତି ସାରା ଓଡ଼ିଶାର ଆରାଧ୍ୟଦେବୀ। ମା’ ସମଲେଶ୍ୱରୀଙ୍କ ମନ୍ଦିର ଆସ୍ଥା ଓ ବିଶ୍ୱାସର କେନ୍ଦ୍ର। ଲୋକଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ମନ୍ଦିରର ରୂପାନ୍ତରଣ କରାଯାଇଛି। ଏହା କୋଟି କୋଟି ଭକ୍ତଙ୍କ ଆସ୍ଥାର ପ୍ରକଳ୍ପ। ମା’ଙ୍କ ଆଶୀର୍ବାଦରୁ ପ୍ରକଳ୍ପ ହୋଇଛି। ମା’ଙ୍କ କୃପାରୁ ରେକର୍ଡ ସମୟ ଭିତରେ ପ୍ରକଳ୍ପ କାମ ସରିଛି। ଏହି ପ୍ରକଳ୍ପ ଓଡ଼ିଶାର ପର୍ଯ୍ୟଟନ ଓ ଅର୍ଥନୀତିକୁ ଆଗକୁ ନେବ। ଏକାସାଙ୍ଗରେ ହଜାର ହଜାର ଶ୍ରଦ୍ଧାଳୁ ମହାନଦୀ ଆଳତୀ ଦେଖିପାରିବେ। ସମଲେଇ ପ୍ରକଳ୍ପ ଭାଇଚାରା ଓ ମା’ଙ୍କ ଆଶୀର୍ବାଦର ପରିଚୟ।