LatestNews

ଦାୟିତ୍ୱ ଗ୍ରହଣ କଲେ ନୂଆ ପୁଲିସ କମିଶନର ସଞ୍ଜୀବ ପଣ୍ଡା

ଭୁବନେଶ୍ୱର (ସଂକେତ ଟିଭି): ବରିଷ୍ଠ ଆଇପିଏସ୍ ଅଧିକାରୀ ସଞ୍ଜୀବ ପଣ୍ଡା ଟୁଇନ୍ ସିଟିର ନୂଆ ପୁଲିସ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଆଜି ବିଦାୟୀ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କଠାରୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି।ପୁଲିସ କମିଶନରଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ପରେ ତାଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଛି।

ନୂଆ ପୁଲିସ କମିଶନର ସଞ୍ଜୀବ ପଣ୍ଡା ଏହି ଅବସରରେ କହିଛନ୍ତି, ଆଗକୁ ସାଧାରଣ ନିର୍ବାଚନ ଥିବାରୁ ତାହାକୁ କିପରି ସୁରଖୁରୁରେ ସମ୍ପାଦନ କରାଯିବ, ସେଥିନିମନ୍ତେ ଏବେଠୁ ପ୍ରସ୍ତୁତି ଆରମ୍ଭ କରିବୁ। ଏଥିସହ ୫ଟି ଓ ମୋ’ ସରକାରର ସମସ୍ତ ନିୟମ ଅନୁପାଳନ କରିବୁ। ଏହାଦ୍ୱାରା ପୁଲିସ୍‌ ସାଧାରଣ ଲୋକଙ୍କ ନିକଟତର ହେବା ସହ ଅଧିକ ସେବା ଯୋଗାଇ ଦେଇ ପାରିବ। ଅପରାଧ ନିୟନ୍ତ୍ରଣ ସହ ସାଇବର ଅପରାଧ ରୋକିବାକୁ ଖୁବଶୀଘ୍ର ନୂଆ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହେବ। ଆର୍ଟିଫିସିଆଲ ଇଣ୍ଟେଲ୍ଲିଜେନ୍ସ ଓ ଡିପ ଫେକ ଫଟୋ ନେଇ ଖୁବଶୀଘ୍ର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା ପରେ ପଦକ୍ଷେପ ନିଆଯିବ ବୋଲି ନୂଆ ପୁଲିସ କମିଶନର ସଞ୍ଜୀବ ପଣ୍ଡା କହିଛନ୍ତି।

ସଞ୍ଜୀବ ପଣ୍ଡା ହେଉଛନ୍ତି ୧୯୯୪ ବ୍ୟାଚର ଓଡ଼ିଆ ଆଇପିଏସ୍ ଅଧିକାରୀ। ପୁଲିସ କମିଶନର ଦାୟିତ୍ୱ ନେବା ପୂର୍ବରୁ ସେ ରାଜ୍ୟ ପୁଲିସ ହାଉସିଂ ୱେଲଫେୟାର କର୍ପୋରେସନର ସିଏମଡି ଦାୟିତ୍ୱରେ ଥିଲେ। ପୂର୍ବରୁ ସେ ପୁରୀ, ବାଲେଶ୍ବର, ରାଉରକେଲା, ବରଗଡ ଆରକ୍ଷୀ ଅଧୀକ୍ଷକ, କୋରାପୁଟ୍ ଡିଆଜି, ଆଇଜି ପର୍ସନାଲ, ଆଇଜି ଓଏସ୍ଏପି, ଏଡିଜି କ୍ରାଇମବ୍ରାଞ୍ଚ, ପରିବହନ କମିଶନର ଆଦି ବିଭିନ୍ନ ଦାୟିତ୍ୱ ନିର୍ବାହ କରିଛନ୍ତି।