FeaturedGeneralLatestPolitics

ରାଞ୍ଚିରେ ପହଞ୍ଚିଲେ ନିଖୋଜ ଥିବା ମୁଖ୍ୟମନ୍ତ୍ରୀ ସୋରେନ

ରାଞ୍ଚି (ସଂକେତ ଟିଭି): ଜମି ଠକେଇ ମାମଲାରେ ଗତ ଦୁଇ ଦିନ ଧରି ଦିଲ୍ଲୀରେ ତାଙ୍କ ବାସଭବନ ସମେତ ରାଞ୍ଚିରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଇଡି ଟିମ ଖୋଜୁଥିଲା, କିନ୍ତୁ ତାଙ୍କ ଅବସ୍ଥାନ ବିଷୟରେ କିଛି ଜଣା ପଡି ନଥିଲା। ହେଲେ ମଙ୍ଗଳବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ରାଞ୍ଚିରେ ତାଙ୍କ ବାସଭବନରେ ପହଞ୍ଚିଛନ୍ତି। ଏଠାରେ ସେ ବିଧାୟକଙ୍କ ସହ ଏକ ବୈଠକ କରିଥିବା ସୂଚନା ମିଳିଛି। ତାଙ୍କ ପତ୍ନୀ କଳ୍ପନା ସୋରେନ ମଧ୍ୟ ଏହି ବୈଠକରେ ଯୋଗ ଦେଇଥିଲେ।

ଝାଡ଼ଖଣ୍ଡରେ ଶାସକ ମେଣ୍ଟରେ ଜେଏମଏମ, କଂଗ୍ରେସ ଏବଂ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ସାମିଲ ଅଛନ୍ତି। ରାଜ୍ୟର ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି ଏବଂ ଜମି ଦୁର୍ନୀତିରେ ବୁଧବାର ସୋରେନଙ୍କୁ ଇଡିର ପ୍ରସ୍ତାବିତ ପଚରାଉଚରା ଉପରେ ଆଲୋଚନା କରିବା ପାଇଁ ଏହି ବୈଠକ ଡକାଯାଇଛି ବୋଲି ଜେଏମ୍‌ଏମ୍‌ ସାଧାରଣ ସମ୍ପାଦକ ତଥା ମୁଖପାତ୍ର ବିନୋଦ କୁମାର ସିଂହ କହିଛନ୍ତି।

ଏହି ସମୟରେ, ଝାଡ଼ଖଣ୍ଡରେ ରାଜନୈତିକ ଅସ୍ଥିରତା ବଢୁଥିବା ଦେଖି ରାଞ୍ଚିର ତିନୋଟି ସ୍ଥାନରେ ଧାରା ୧୪୪ ଲାଗୁ କରାଯାଇଛି। ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀଙ୍କ ବାସଭବନ, ଇଡି କାର୍ଯ୍ୟାଳୟ ଏବଂ ରାଜ ଭବନର ୧୦୦ମିଟର ବ୍ୟାସାର୍ଦ୍ଧରେ ଧାରା ୧୪୪ କାର୍ଯ୍ୟକାରୀ କରାଯାଇଛି।

ସୂଚନା ଅନୁଯାୟୀ, ଜାନୁଆରି ୨୭ ତାରିଖ ରାତିରେ ରାଞ୍ଚିରୁ ଦିଲ୍ଲୀ ଅଭିମୁଖେ ବାହାରିଥିବା ସୋରେନ୍‌ ଏଜେନ୍‌ସିକୁ ଏକ ଇ-ମେଲ୍‌ ପଠାଇଥିଲେ, ଯେଉଁଥିରେ ସେ ଜାନୁଆରି ୩୧ ତାରିଖ ଅପରାହ୍ନ ପ୍ରାୟ ୧ଟା ବେଳେ ରାଞ୍ଚିସ୍ଥିତ ବାସଭବନରେ ଇଡି ତଦନ୍ତକାରୀଙ୍କ ଦ୍ୱାରା ପୁନର୍ବାର ପଚରାଉଚରାର ସମ୍ମୁଖୀନ ହେବାକୁ ରାଜି ହୋଇଥିଲେ।

ଜମି ଦୁର୍ନୀତିର ତଦନ୍ତ ମାମଲାରେ ଇଡିର ଏକ ଟିମ୍‌ ସୋରେନଙ୍କୁ ପଚରାଉଚରା କରିବାକୁ ଯାଇଥିବା ବେଳେ ସୋମବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଜେଏମ୍‌ଏମ୍‌ ବିଧାୟକମାନେ ଦିଲ୍ଲୀସ୍ଥିତ ସୋରେନଙ୍କ ସରକାରୀ ବାସଭବନରେ ରହିଥିଲେ।

ଏହି ମାମଲାରେ ଇଡି ଜାନୁଆରି ୨୦ରେ ସୋରେନଙ୍କୁ ରାଞ୍ଚିସ୍ଥିତ ତାଙ୍କ ସରକାରୀ ବାସଭବନରେ ପଚରାଉଚରା କରିଥିଲା ଏବଂ ଜାନୁଆରି ୨୯ କିମ୍ବା ଜାନୁଆରି ୩୧ରେ ପଚରାଉଚରା ପାଇଁ ତାଙ୍କ ଉପଲବ୍ଧତା ନିଶ୍ଚିତ କରିବାକୁ ତାଙ୍କୁ ସମନ ଜାରି କରିଥିଲା। ବର୍ତ୍ତମାନ ସୁଦ୍ଧା ସୋରେନ ୯ ଥର ଇଡି ସମନକୁ ପ୍ରତ୍ୟାଖାନ କରି ଦେଇଛନ୍ତି।