FeaturedGeneralLatest

ବଜେଟ ଅଧିବେଶନ ପୂର୍ବରୁ ବିରୋଧୀ ଏମ୍‌ପିଙ୍କ ନିଲମ୍ବନ ପ୍ରତ୍ୟାହାର ହେବ

ନୂଆଦିଲ୍ଲୀ (ସଂକେତ ଟିଭି): ସଂସଦର ବଜେଟ ଅଧିବେଶନ ପୂର୍ବରୁ ସବୁ ସାଂସଦଙ୍କ ନିଲମ୍ବନ ରଦ୍ଦ କରାଯିବ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଘୋଷଣା କରିଛନ୍ତି ।

ପ୍ରହ୍ଲାଦ ଯୋଶୀ କହିଛନ୍ତି ସଂସଦର ଶୀତ ଅଧିବେଶନରେ ନିଲମ୍ବିତ ହୋଇଥିବା ବିରୋଧୀ ଦଳର ସବୁ ସାଂସଦଙ୍କ ନିଲମ୍ବନ ରଦ୍ଦ କରାଯିବ। ଇତିମଧ୍ୟରେ ରାଜ୍ୟସଭାରୁ ନିଲମ୍ବିତ ହୋଇଥିବା ସମସ୍ତ ୧୧ ଜଣ ସାଂସଦଙ୍କ ନିଲମ୍ବନ ବାତିଲ ହୋଇଛି।

ପ୍ରହ୍ଲାଦ ଯୋଶୀ କହିଛନ୍ତି, ଯଦିଓ ବିରୋଧୀ ଏମ୍‌ପିଙ୍କ ନିଲମ୍ବନ କେବଳ ଶୀତ ଅଧିବେଶନ ପର୍ଯ୍ୟନ୍ତ ଥିଲା, ତଥାପି କିଛି ଲୋକଙ୍କ ମାମଲା ଅଧିକାର କମିଟିକୁ ଯାଇଥିଲା। ସରକାରଙ୍କ ତରଫରୁ ଆମେ ବାଚସ୍ପତି ଓମ ବିର୍ଲା ଏବଂ ଅଧ୍ୟକ୍ଷଙ୍କୁ ଏମ୍‌ପିଙ୍କ ନିଲମ୍ବନ ପ୍ରତ୍ୟାହାର କରିବାକୁ ଅନୁରୋଧ କରିଛୁ, କାରଣ ଏହା ଆମ ଅଧୀନରେ ନାହିଁ। ଉଭୟ ଏହାକୁ ଗ୍ରହଣ କରିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ବୈଠକ ବହୁତ ଭଲ ହୋଇଛି। ଜାନୁଆରୀ ୩୧ରୁ ଫେବୃଆରୀ ୯ ମଧ୍ୟରେ ହେବାକୁ ଥିବା ସଂସଦର ବଜେଟ ଅଧିବେଶନରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକ ସଭା ନିର୍ବାଚନ ପୂର୍ବରୁ ମଧ୍ୟବର୍ତ୍ତୀକାଳୀନ ବଜେଟ ଉପସ୍ଥାପନ କରିବେ। ନୂତନ ସରକାର ସମ୍ପୂର୍ଣ୍ଣ ବଜେଟ ଉପସ୍ଥାପନ କରିବେ।

ଉଲ୍ଲେଖଯୋଗ୍ୟ ଯେ ସଂସଦର ଗତ ୨୦୨୩ ଶୀତ ଅଧିବେଶନରେ ବିଭିନ୍ନ ବିରୋଧୀ ଦଳର ୧୪୬ ଜଣ ସାଂସଦଙ୍କୁ ନିଲମ୍ବନ କରାଯାଇଥିଲା। ବିରୋଧୀ ଦଳ ସାଂସଦମାନେ ସଂସଦରେ ହୋଇଥିବା ସୁରକ୍ଷା ଉଲ୍ଲଂଘନ ନିମନ୍ତେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ବୟାନ ଦାବି କରୁଥିଲେ। ଏଥି ପାଇଁ ସାଂସଦମାନେ ଗୃହରେ ଅଚଳାବସ୍ଥା ସୃଷ୍ଟି କରିବା ଯୋଗୁ ସେମାନଙ୍କୁ ସଂସଦରୁ ନିଲମ୍ବିତ କରାଯାଇଥିଲା।

୧୪୬ ସାଂସଦଙ୍କ ମଧ୍ୟରୁ ୧୩୨ ଜଣଙ୍କୁ କେବଳ ଶୀତକାଳୀନ ଅଧିବେଶନରୁ ନିଲମ୍ବିତ କରାଯାଇଥିଲା। ଏଣୁ ଯେବେ ଉଭୟ ସଦନର ଅଧିବେଶନ ପୂଣି ଆରମ୍ଭ ହେବ ସେମାନଙ୍କ ନିଲମ୍ବନ ରଦ୍ଦ କରିଦିଆଯିବ। ଏଣୁ ୧୩୨ ସାଂସଦଙ୍କ ନିଲମ୍ବନ ଆପେଆପେ ପ୍ରତ୍ୟାହୃତ ହୋଇଥିବା ବେଳେ ବାକି ୧୪ ସାଂସଦଙ୍କ ମଧ୍ୟରୁ ୧୧ ଜଣ ରାଜ୍ୟସଭାର ଓ ୩ ଜଣ ଲୋକସଭାର ଥିଲେ। ସେମାନଙ୍କ ମାମଲା ସଂସଦର ବିଶେଷାଧିକାର କମିଟିକୁ ପଠାଯାଇଥିଲା ଓ କୁହାଯାଇଥିଲା ଯେ କମିଟିର ନିଷ୍ପତ୍ତି ଆସିବା ପର୍ଯ୍ୟନ୍ତ ସେମାନଙ୍କ ନିଲମ୍ବନ ବଳବତ୍ତର ରହିବ। ଏବେ ସେହି ସବୁ ସାଂସଦଙ୍କ ନିଲମ୍ବନ ମଧ୍ୟ ପ୍ରତ୍ୟାହୃତ ହୋଇଛି।