FeaturedLatestNewsPolitics

ଫେବୃଆରୀରେ ଓଡିଶା ଆସିବେ ରାହୁଲ ଗାନ୍ଧୀ

ଭୁବନେଶ୍ୱର (ସଂକେତ ଟିଭି): ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଫେବୃଆରୀ ୬ତାରିଖରେ ଓଡିଶା ଗସ୍ତରେ ଆସିବେ । ପିସିସି ସଭାପତି ଶରତ ପଟ୍ଟନାୟକ ଏନେଇ ସୂଚନା ଦେଇଛନ୍ତି ।

ସୂଚନା ଅନୁଯାୟୀ, ଦେଶବ୍ୟପୀ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରା ଚାଲିଛି । ଏହିକ୍ରମରେ ଆସନ୍ତା ୬ ତାରିଖ ଦିନ ରାହୁଲ ଗାନ୍ଧୀ ଓଡିଶା ଆସିବେ । ସେ ୬ତାରିଖ ସନ୍ଧ୍ୟାରେ ବୀରମିତ୍ରପୁରରେ ପହଞ୍ଚିବେ । ଏହାପରେ ତାଙ୍କୁ ଜୋରଦାର ସ୍ଵାଗତ କରାଯିବ। ଏହି ଗସ୍ତ ଅବସରରେ ତିନୋଟି ସାଂଗଠନିକ ଜିଲ୍ଲାରେ ରାହୁଲଙ୍କ ନ୍ୟାୟ ଯାତ୍ରାର କାର୍ଯ୍ୟକ୍ରମ ରହିଛି। ସେହି ତିନୋଟି ଜିଲ୍ଲା ହେଉଛି ରାଉରକେଲା, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା । ଏହି ସବୁ ଜିଲ୍ଲାମାନଙ୍କରେ କଂଗ୍ରେସ ପକ୍ଷରୁ ଭାରତ ଯୋଡ ନ୍ୟାୟ ଯାତ୍ରା ଅନୁଷ୍ଠିତ ହେବ ।

ରାହୁଲ ବେଦବ୍ୟାସଠାରେ ରାତ୍ରି ଯାପନ କରିବେ। ୭ ତାରିଖ ସକାଳେ ରାଉରକେଲା,ପରେ ରାଜଗାଙ୍ଗପୁର, ଉତ୍ତରା ଓ ସୁନ୍ଦରଗଡ଼ରେ ସାଧାରଣ ସଭା କରିବେ । ପରେ ଝାରସୁଗୁଡାରେ ରାତ୍ରି ଯାପନ କରିବେ। ୮ ତାରିଖରେ ବ୍ରଜରାଜ ନଗର, ବେଲପାହାଡ଼ ଓ ଶେଷରେ କନକତରାରୁ ଛତିଶଗଡ଼ ଯିବେ ରାହୁଲ।

ରାହୁଲଗାନ୍ଧୀଙ୍କ ଅଫିସରୁ ଏଥିପାଇଁ ୨ଟି ଟିମ ଆସି ଓଡ଼ିଶାରେ ପହଞ୍ଚିଛନ୍ତି। ଗୋଟିଏ ଟିମ ସୁନ୍ଦରଗଡ଼ ଓ ଅନ୍ୟ ଟିମ ଭୁବନେଶ୍ୱରରେ କାର୍ଯ୍ୟ କରୁଛି । ଏହାସହ ଓଡ଼ିଶାରେ ଯାତ୍ରା ପରିଚାଳନା ଲାଗି ଗଠିତ କମିଟିର  ଅଧ୍ୟକ୍ଷ  ସନ୍ତୋଷ ସିଂ ସାଲୁଜା, ଉପାଧ୍ୟକ୍ଷ ନବଜ୍ୟୋତି ପଟ୍ଟନାୟକ ଓ ଆବାହାକ ମାନସ ଚୌଧୁରୀଙ୍କୁ ସଂଯୋଜନା ଦାୟିତ୍ୱ ଦିଆଯାଇଛି । ସବୁ ବିଧାୟକଙ୍କୁ ମଧ୍ୟ ଦାୟିତ୍ୱ ଦିଆଯାଇଛି। ଛାତ୍ର କଂଗ୍ରେସ, ଯୁବ କଂଗ୍ରେସ, ସମସ୍ତ କଂଗ୍ରେସ ବିଧାୟକ ପ୍ରାର୍ଥୀ ଏଥିରେ ସହଯୋଗ କରିବେ।