LatestNews

ଦେବଗଡ, ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାରେ ଚାଲିଲା ଲକ୍ଷ୍ମୀ ବସ୍

ଭୁବନେଶ୍ୱର (ସଂକେତ ଟିଭି): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଦେବଗଡ, ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ୩ଟି ଜିଲ୍ଲାର ୪୪୦ଟି ପଞ୍ଚାୟତରେ ୧୦୧ଟି ବସ୍‌ ଚାଲିବ । ଏହା ଦ୍ୱାରା ୨୭ ଲକ୍ଷରୁ ଅଧିକ ଲୋକ ଉପକାର ପାଇବେ । ଦେବଗଡର ୬୯ଟି ପଞ୍ଚାୟତରେ ୧୭ଟି ବସ୍‌ ଚାଲିବ ଏବଂ ୩ ଲକ୍ଷ ଲୋକ ଉପକୃତ ହେବେ । ଅନୁଗୋଳର ୧୭୬ଟି ପଞ୍ଚାୟତରେ ୨୯ଟି ବସ୍‌ ଚାଲିବ ଏବଂ ୧୧ ଲକ୍ଷ ୫୦ ହଜାର ଲୋକ ଉପକୃତ ହେବେ । ସେହିପରି ଢେଙ୍କାନାଳର ୧୯୫ଟି ପଞ୍ଚାୟତରେ ୫୫ଟି ବସ୍‌ ଚାଲିବ ଏବଂ ୧୩ ଲକ୍ଷ ଲୋକ ଉପକୃତ ହେବେ ।

ଏହି ଯୋଜନାରେ ପଞ୍ଚାୟତରୁ ବ୍ଲକକୁ ବସ୍ ଚଳାଚଳର ସୁବିଧା କରାଯାଇଛି । ସାରା ରାଜ୍ୟରେ ୧୦୦୦ରୁ ଅଧିକ ବସ୍ ଚାଲିବ । 5T ଯୋଜନାରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ମିଶନ ଶକ୍ତି ମା’ମାନଙ୍କୁ ବସ୍ ପରିଚଳନା ଦାୟିତ୍ୱ ଦିଆଯାଇଛି । ଏହି ଯୋଜନା ପ୍ରଥମେ ମାଲକାନଗିରିରେ ଆରମ୍ଭ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ମାଲକାନଗିରି, ନବରଙ୍ଗପୁର, ରାୟଗଡା, କଳାହାଣ୍ଡି, ଗଜପତି ଓ କୋରାପୁଟ ଜିଲ୍ଲାବାସୀ ଲକ୍ଷ୍ମୀ ବସ୍‌ ସେବା ପାଇଥିଲେ ।

ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପଞ୍ଚାୟତକୁ ବିକାଶର କେନ୍ଦ୍ର କରିବା ଆମର ଲକ୍ଷ୍ୟ ରହିଛି । ଗାଁର ଅର୍ଥନୀତିକୁ ମଜବୁତ କରିବା ଆମର ଲକ୍ଷ୍ୟ । ଲକ୍ଷ୍ମୀ ବସ୍‌ ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ସେ କହିଥିଲେ ।

ଏହି ଯୋଜନାରେ ନିକଟରେ ଆରମ୍ଭ ହୋଇଥିବା ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ୍‌ ବସ୍‌ ସେବା ବିଷୟରେ ଉଲ୍ଲେଖକରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ ଓ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅନୁଭବ ନେବା ପାଇଁ ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ୍‌ ବସ୍‌ ସେବା ଆରମ୍ଭ କରାଯାଇଛି । ଏଥିରେ ମା’ମାନଙ୍କ ପାଇଁ ବସ୍‌ ଟିକେଟ ମୂଲ୍ୟ ଅଧା କରାଯାଇଛି । ଲକ୍ଷ୍ମୀ ଯୋଜନା ଆମ ଜୀବନକୁ ସହଜ କରିଛି ବୋଲି ସେ କହିଥିଲେ ।

ଗାଁର ରୂପାନ୍ତର ପାଇଁ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଜାରି ରହିଛି ବୋଲି କହି ଏକ ନୂଆ ଓଡିଶା ଗଢିବା ପାଇଁ, ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।

ସେ କହିଥିଲେ ଯେ, ଗ୍ରାମାଞ୍ଚଳରେ ଗମନାଗମନର ବହୁ ସମସ୍ୟା ରହିଥିଲା । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ଏ ବିଷୟରେ ଜାଣି ନିଷ୍ପତ୍ତିକ୍ରମେ ଏହି ଲକ୍ଷ୍ମୀ ବସ୍‌ ଯୋଜନା ଆରମ୍ଭ କରାଗଲା । ଗ୍ରାମାଞ୍ଚଳ ଲୋକମାନେ ସୁବିଧାରେ ଏବଂ କମ ଖର୍ଚ୍ଚରେ ତାଙ୍କର ଦୈନନ୍ଦିନ କାର୍ଯ୍ୟ ପାଇଁ ଘର ପାଖରୁ ଏହି ବସ୍‌ କୁ ବ୍ୟବହାର କରିପାରିବେ ।

ଲକ୍ଷ୍ମୀ ବସ୍‌ ସେବା ସମ୍ପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଲକ୍ଷ୍ମୀ ବସ୍‌ ଲୋକଙ୍କୁ ଲୋକ ସହିତ ଯୋଡିବ । ସାମାଜିକ ଓ ଆର୍ଥିକ ଜୀବନକୁ ମଜବୁତ କରିବ । ପିଲାଙ୍କୁ ସ୍କୁଲ କଲେଜ ନେବ । ଚାଷୀଙ୍କୁ ମାର୍କେଟ ସହିତ ଯୋଡିବ । ମା’ମାନେ ଓ ଛାତ୍ରଛାତ୍ରୀମାନେ ମାତ୍ର ୫ ଟଙ୍କା ମୂଲ୍ୟରେ ଏହି ବସ୍‌ ରେ ଯିବା ଆସିବା କରିପାରିବେ ବୋଲି ସେ କହିଥିଲେ ।

କାର୍ଯ୍ୟକ୍ରମରେ ଦେବଗଡଠାରେ ଉପସ୍ଥିତ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଓ ଢେଙ୍କାନାଳରେ ଉପସ୍ଥିତ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ କୁମାର ମଲ୍ଲିକ କହିଥିଲେ ଯେ, ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଯୋଗୁ ଆଜି ଗାଁର ଲୋକମାନେ ସହରର ସୁବିଧା ପାଉଛନ୍ତି । ଲକ୍ଷ୍ମୀ ଯୋଜନା ଗ୍ରାମାଞ୍ଚଳର ଜନଜୀବନକୁ ସୁଗମ କରିଛି । ସରକାରଙ୍କ ପ୍ରତି ଲୋକଙ୍କ ଆସ୍ଥା ବଢିଛି ବୋଲି ସେମାନେ ମତ ଦେଇଥିଲେ ।

କାର୍ଯ୍ୟକ୍ରମରେ 5-T ତଥା ନବୀନ ଓଡିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ କହିଲେ ଯେ, ଲକ୍ଷ୍ମୀ ବସ୍‌ ହେଉଛି ଲୋକଙ୍କ ସମ୍ପତ୍ତି । ଆପଣଙ୍କ ସମ୍ପତ୍ତି । ଆପଣମାନେ ଏହାର ଉପଯୁକ୍ତ ରକ୍ଷଣାବେକ୍ଷଣ କରନ୍ତୁ । ଲୋକଙ୍କୁ ଉପଯୁକ୍ତ ସମ୍ମାନ ଦେଇ ସେମାନଙ୍କ ସୁରକ୍ଷା ପ୍ରତି ଯତ୍ନବାନ ହେବାକୁ ସେ ବସ୍‌ କର୍ମଚାରୀମାନଙ୍କୁ ପରାମର୍ଶ ଦେଇଥିଲେ ।

ଏହି ଅବସରରେ ଢେଙ୍କାନାଳରେ ବିଧାୟକ ସୁଧିର କୁମାର ସାମଲ, ଅନୁଗୋଳରେ ବିଧାୟକ ରଜନୀକାନ୍ତ ସିଂ, ବିଧାୟକ ବ୍ରଜକିଶୋର ପ୍ରଧାନ ଏବଂ ଦେବଗଡରେ ଜିଲ୍ଲା ପରିଷଦ ସଭାପତି କୌଶିକ କୁମାର ପ୍ରଧାନ ପ୍ରମୁଖ ଯୋଗ ଦେଇ ସେମାନଙ୍କର ଅଭିଭାଷଣ ଦେଇଥିଲେ ।

କାର୍ଯ୍ୟକ୍ରମରେ ବାଣିଜ୍ୟ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢୀ ସ୍ୱାଗତ ଭାଷଣ ଦେଇଥିଲେ । ସମସ୍ତ ଜିଲ୍ଲାରେ ବହୁ ସଂଖ୍ୟାରେ ଜନସମାଗମ ହୋଇଥିଲା ।