FeaturedGeneralLatestPolitics

ଅନ୍ତରୀଣ ବଜେଟ୍‌କୁ ୟୁଜ୍‌ଲେସ୍ ବୋଲି କହିଲା ବିରୋଧୀ

ନୂଆଦିଲ୍ଲୀ (ସଂକେତ ଟିଭି): କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର କାମଚଳା ବଜେଟ୍‌ ଉପସ୍ଥାପନ କରିଛନ୍ତି। ଏହି ବଜେଟକୁ ନେଇ କଂଗ୍ରେସ ଏମ୍‌ପି ମନୀଷ ତିଓ୍ବାରୀ କହିଛନ୍ତି, ଉକ୍ତ ବଜେଟ ହେଉଛି ‘ଭୋଟ୍‌-ଅନ୍‌-ଆକାଉଣ୍ଟ’। ଯାହାର ଏକମାତ୍ର ଉଦ୍ଦେଶ୍ୟ ହେଉଛି ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ ପାଇଁ ସରକାରଙ୍କୁ ଆର୍ଥିକ ସ୍ଥିତିରେ ରଖିବା। ଚିନ୍ତାର ବିଷୟ ହେଉଛି ବଜେଟରେ ୧୮ ଲକ୍ଷ କୋଟି ଟଙ୍କା ଅଭାବ ରହିଛି। ଏହାର ଅର୍ଥ ହେଉଛି ସରକାର ଏହାର ଖର୍ଚ୍ଚ ପାଇଁ ଋଣ ନେଉଛନ୍ତି। ଆସନ୍ତା ବର୍ଷ ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇବ।

ସେହିପରି କଂଗ୍ରେସ ମହାସଚିବ ଓ ଛତିଶଗଡ଼ ପ୍ରଭାରି ଥିବା ସଚିନ ପାଇଲଟ କହିଛନ୍ତି ଅର୍ଥମନ୍ତ୍ରୀଙ୍କର ଆଜିର ଭାଷଣ ନିର୍ବାଚନୀ ଭାଷଣ ଥିଲା। ଅନ୍ତରୀଣ ବଜେଟ୍‌ରେ କିଛି ନାହିଁ ବିଜେପି କେବଳ ନିଜର ଗୁଣଗାନ କରିଛି ବୋଲି ସେ କହିଛନ୍ତି ।

ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ଏହି ବଜେଟ୍‌କୁ ୟୁଜ୍‌ଲେସ୍ ବୋଲି କହିଛନ୍ତି। କୌଣସି ବଜେଟ୍‌ରେ ଯଦି ଜନତାଙ୍କ ପାଇଁ କିଛି ନାହିଁ ତେବେ ଏହା ବ୍ୟର୍ଥ। ବିଜେପିର ଏହା ବିଦାୟୀ ବଜେଟ୍ ବୋଲି ସେ କହିଛନ୍ତି।

ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି ଯେ ଏହି ବଜେଟ୍‌ର ଗରିବ, ମଧ୍ୟଭିତ୍ତ ଓ ନିମ୍ନ ମଧ୍ୟବିତ୍ତ ବର୍ଗଙ୍କ ପାଇଁ କିଛି ନାହିଁ। କେବଳ କାମ ଚଳାଇବା ପାଇଁ ଏହି ବଜେଟ୍ ହୋଇଛି। ଗତ ୧୦ ବର୍ଷରେ ସରକାର ପ୍ରତିଶ୍ରୁତି ପୂରଣ କରି ନାହାନ୍ତି। ଯଦି କରିଛନ୍ତି ତେବେ ଲୋକଙ୍କ ସାମ୍ନାରେ ଆସି କହୁନ୍ତୁ ବୋଲି ସେ କହିଛନ୍ତି।

ଆପ୍ ମନ୍ତ୍ରୀ ଅତିଶୀ କହିଛନ୍ତି ଯେ ଆଜିର ବଜେଟ୍ ଏହା ସାବ୍ୟସ୍ତ କରୁଛି ଯେ ବିଜେପି ସରକାର ଯୁମଲା ସରକାର। ଶାସନର ୧୦ ବର୍ଷ ପୂରିଗଲା ହେଲେ କୌଣସି ଗୋଟିଏ ନିଯୁକ୍ତି ମିଳିଲାନି।