BusinessFeaturedGeneralLatest

ବଜେଟରେ ନାଖୁସ ସେୟାର ମାର୍କେଟ, ନିବେଶକ ହରାଇଲେ ୩୫ ହଜାର କୋଟି ଟଙ୍କା

ମୁମ୍ବାଇ (ସଂକେତ ଟିଭି): ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅନ୍ତରୀଣ ବଜେଟ ଘୋଷଣାରେ ସେୟାର ବଜାରରେ ସେତେଟା ଖୁସି ପରିଲକ୍ଷିତ ହୋଇନାହିଁ । ସେନସେକ୍ସର ୨୧ ଓ ନିଫ୍ଟିର ୩୧ ସେୟାରରେ ହ୍ରାସ ଘଟିଛି । ବିଏସଇ ଲିଷ୍ଟେଡ୍ କମ୍ପାନୀମାନଙ୍କ ମାର୍କେଟ କ୍ୟାପ୍ ପାଖାପାଖି ୩୫ ହଜାର କୋଟି ଟଙ୍କା କମିଯାଇଛି। ଫଳରେ ନିବେଶକ ବିପୁଳ କ୍ଷତିର ସମ୍ମୁଖୀନ ହୋଇଛନ୍ତି।

ଗୁରୁବାର ସେନସେକ୍ସ ୧୦୬.୮୧ ପଏଣ୍ଟ ଅର୍ଥାତ ୦.୧୫ ପ୍ରତିଶତ ହ୍ରାସ ସହିତ ୭୧୬୪୫.୩୦ ଓ ନିଫ୍ଟି ୨୮.୨୫ ଅର୍ଥାତ ୦.୧୩ ପ୍ରତିଶତ ହ୍ରାସ ହୋଇ ୨୧୬୯୭.୪୫ରେ ବନ୍ଦ ହୋଇଛି। ନିଫ୍ଟି ମେଟାଲ, ମିଡିଆ, ପିଏସୟୁ ବ୍ୟାଙ୍କ ଓ ରିୟଲ୍ଟିକୁ ଛାଡିଦେଲେ ବାକି ସବୁ ସେକ୍ଟର ଇଣ୍ଡେକ୍ସ କମଜୋର ରହିଛି। ନିଫ୍ଟି ବ୍ୟାଙ୍କ ୦.୧୬ ପ୍ରତିଶତ ହ୍ରାସ ସହ ବନ୍ଦ ହୋଇଛି।

ଅର୍ଥମନ୍ତ୍ରୀ ତାଙ୍କ ବଜେଟ୍ ଅଭିଭାଷଣରେ କ୍ୟାପିଟାଲ ଏକ୍ସପେଣ୍ଡିଚରରେ ୧୧ ପ୍ରତିଶତ ବୃଦ୍ଧିର ଘୋଷଣା କରିଛନ୍ତି। ହେଲେ ଏହା ମାର୍କେଟକୁ ସୁହାଇ ନାହିଁ। ଏଥିରେ ଆମେରିକୀୟ ଫେ଼ଡରୁ ମିଳିଥିବା ସଂକେତରେ ମାର୍ଚ୍ଚମାସରେ ଦର ହ୍ରାସର ସମ୍ଭାବନା ନାହିଁ। ଏହା ଛଡା ବିଭିନ୍ନ ବ୍ୟାଙ୍କ, ଏଫଏମସିଜି ଏବଂ ଅଟୋକୁ ଛାଡିଦେଲେ ସେୟାର ମାର୍କେଟର ବାକି ସେକ୍ଟରକୁ ସପୋର୍ଟ ମିଳି ନାହିଁ। ଫଳରେ ମାର୍କେଟରେ ହ୍ରାସ ଦେଖାଦେଇଥିବା ବେଳେ ନିବେଶକ ପୁଞ୍ଜି ହରାଇଛନ୍ତି।

୩୧ ଜାନୁୟାରୀ ୨୦୨୪ରେ ବିଏସଇ ଲିଷ୍ଟେଡ ସମସ୍ତ ସେୟାରର ମୋଟ ମାର୍କେଟ କ୍ୟାପିଟାଲ ୩୭୯.୭୮ ଲକ୍ଷ କୋଟି ଟଙ୍କା ଥିଲା। ତେବେ ୧ ଫେବୃଆରୀରେ ୩୭୯.୪୩ଲକ୍ଷ କୋଟି ଟଙ୍କାକୁ ଖସି ଆସିଛି। ଫଳରେ ନିବେଶକଙ୍କୁ ସିଧାଶଳଖ ୩୫ ହଜାର କୋଟି ଟଙ୍କାର କ୍ଷତି ସହିବାକୁ ପଡିଛି।