LatestNewsPolitics

ରାଜ୍ୟସଭା ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କଲେ ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ୱର(ସଂକେତ ଟିଭି) : ରାଜ୍ୟସଭା ପ୍ରାର୍ଥୀ ଭାବେ ଅଶ୍ୱିନୀ ବୈଷ୍ଣବ ଆଜି ନାମାଙ୍କନ ଦାଖଲ କରିଛନ୍ତି । ଅଶ୍ୱିନୀ ବୈଷ୍ଣବଙ୍କ ସହ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ବିଜେପିର ସମସ୍ତ ବିଧାୟକ ଉପସ୍ଥିତ ଥିଲେ । ୧୦ ଜଣ ପ୍ରସ୍ତାବକଙ୍କ ଉପସ୍ଥିତିରେ ଅଶ୍ୱିନୀ ୨ ସେଟ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଓଡିଶାରୁ ତୃତୀୟ ପ୍ରାର୍ଥୀ ଭାବେ ସେ ନାମାଙ୍କନ ଦାଖଲ କରିଛନ୍ତି । ଉଲ୍ଲେଖ ଥାଉ କି ଗତକାଲି ବିଜେପି କେନ୍ଦ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ଓଡ଼ିଶାରେ ବିଜେପି ପ୍ରାର୍ଥୀ ଭାବେ ଅଶ୍ୱିନୀଙ୍କ ନାମ ଘୋଷଣା କରାଯାଇଥିଲା ।

ଏହାର କିଛି ସମୟ ପରେ ବିଜେଡି ପକ୍ଷରୁ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଦସ୍ତଖତରେ ଏକ ପ୍ରେସ୍ ବିଜ୍ଞପ୍ତି ଜାରି ହୋଇଥିଲା। ଯେଉଁଥିରେ ଶ୍ରୀ ବୈଷ୍ଣବଙ୍କ ପ୍ରାର୍ଥିତ୍ବକୁ ବିଜେଡି ସମର୍ଥନ କରିବ ବୋଲି ଏଥିରେ କୁହାଗଲା। କାରଣରେ ଦର୍ଶାଗଲା ଯେ ରାଜ୍ୟରେ ରେଳବାଇ ଓ ଟେଲିକମ୍ ବିକାଶରେ ବୃହତ୍ତର ସ୍ବାର୍ଥକୁ ଆଖି ଆଗରେ ଏହି ନିଷ୍ପତ୍ତି ନିଆଯାଇଛି। ବିଜେପିରୁ ଅଶ୍ଵିନୀଙ୍କୁ ଜିତିବାକୁ ହେଲେ ୩୭ ବିଧାୟକଙ୍କ ସମର୍ଥନ ଆବଶ୍ୟକ। ବିଜେପି ପାଖରେ ଅବଶ୍ଯ ସଂଖ୍ଯା ନାହିଁ। ବିଜେପିର ବର୍ତ୍ତମାନ ୨୨ ଜଣ ବିଧାୟକ ଅଛନ୍ତି ।

୨୦୧୯ରେ ବିଜେଡି ସମର୍ଥନରେ ରାଜ୍ୟସଭାକୁ ଯାଇଥିଲେ ଅଶ୍ବିନୀ। ୨୦୨୧ ମସିହା ଜୁଲାଇ ମାସରେ ମୋଦି ସରକାରଙ୍କ କ୍ୟାବିନେଟ୍ ଅଦଳବଦଳରେ ଅଶ୍ବିନୀ ବୈଷ୍ଣବଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇଥିଲା। ଏଥିସହ ତାଙ୍କୁ ଗୁରୁତ୍ୱପୂର୍ଣ୍ଣ ରେଳ ତଥା ଇଲେକଟ୍ରୋନିକ, ସୂଚନା ପ୍ରଯୁକ୍ତି ଓ ଯୋଗାଯୋଗ ମନ୍ତ୍ରଣାଳୟର ଦାୟିତ୍ୱ ଦିଆଯାଇଥିଲା। ୩ଟି ରାଜ୍ୟସଭା ଆସନ ପାଇଁ ବିଜେଡିରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି କଟକର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଓ ପୁରୀର ଯୁବ ବିଜେଡି ଉପସଭାପତି ଶୁଭାଶିଷ ଖୁଣ୍ଟିଆ।