FeaturedLatestNews

ବାଣ ନିଷ୍କ୍ରିୟ ବେଳେ ବିସ୍ଫୋରଣ ଘଟି ଜଣେ ପୋଲିସ କର୍ମଚାରୀଙ୍କ ମୃତ୍ୟୁ

କଟକ (ସଂକେତ ଟିଭି): କଟକରେ ବାଣ ନଷ୍ଟ କରିବାବେଳେ ବିସ୍ଫୋରଣ ଘଟି ଜଣେ ପୋଲିସ କର୍ମଚାରୀଙ୍କ ମୃତ୍ଯୁ ଘଟିଛି। ମୃତ କର୍ମଚାରୀ ପ୍ରଦୀପ କୁମାର ମଲ୍ଲିକ କଟକରେ ହାବିଲଦାର ଭାବେ କାର୍ଯ୍ୟରତ ଥିଲେ। ତାଙ୍କ ଘର କଟକ ପୀର ବଜାର ଅଞ୍ଚଳରେ। କଟକ ସଦର ଏଡିସିପିଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି।

କଟକ ସଦର ଥାନା ଅନ୍ତର୍ଗତ ଗୋପାଳପୁର ଅଞ୍ଚଳର ସୁଭଦ୍ରାପୁର ଘାଟରେ ପୋଲିସ ଜବତ କରିଥିବା କିଛି ବୋମା ପାଣିରେ ନିଷ୍କ୍ରିୟ କରିବା ସମୟରେ ହଠାତ୍ ବୋମା ଫୁଟିଯାଇଥିଲା। ଫଳରେ ବୋମା ନିଷ୍କ୍ରିୟ କରୁଥିବା ହାବିଲଦାର ଗୁରୁତର ଆହତ ହୋଇଥିଲେ। ତାଙ୍କୁ କଟକ ଏସସିବି ନିଆଯାଇଥିଲେ ବି ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ବୋମା ଫୁଟିବା ସମୟରେ ଜୋରରେ ଆଖପାଖ ଅଞ୍ଚଳର ଲୋକେ ଭୟଭୀତ ହୋଇଥିଲେ। ତେବେ ବୋମା ନିଷ୍କ୍ରିୟ ସମୟରେ ଆବଶ୍ୟକ ନିୟମକୁ ଗ୍ରହଣ କରାଯାଇଥିଲା କି ନାହିଁ, ତାହାର ତଦନ୍ତ କରିବାକୁ ପରିବାର ପକ୍ଷରୁ ଦାବି କରାଯାଇଛି। ଏବେ ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି।