FeaturedGeneralLatest

ପଶ୍ଚିମବଙ୍ଗରେ ବଡଧରଣର ଟ୍ରେନ ଦୁର୍ଘଟଣା

କୋଲକାତା (ସଂକେତ ଟିଭି): କାଞ୍ଚନଜଙ୍ଗା ଏକ୍ସପ୍ରେସ ଟ୍ରେନକୁ ପଛ ପଟରୁ ଧକ୍କା ମାରିଛି ମାଲବାହୀ ଟ୍ରେନ୍‌। ପଶ୍ଚିମବଙ୍ଗର ନିଉଜଲପାଇଗୁଡି ଷ୍ଟେସନ ନିକଟ ରଙ୍ଗପାଣି ଠାରେ ଏହି ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଏକ୍ସପ୍ରେସର ତିନିଟି ବଗିର ବହୁ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି। ବର୍ତ୍ତମାନ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ୮ ଜଣଙ୍କ ମତ୍ୟୁ ହୋଇଥିବା ବେଳେ ୨୫ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି। ଉଦ୍ଧାର କାର୍ଯ୍ୟ ଜାରି ରହିଥିବାରୁ ଆଗକୁ ଆହତ ଓ ମୃତକଙ୍କ ସଂଖ୍ୟା ବଢିପାରେ ବୋଲି କୁହାଯାଉଛି। କାରଣ ଯାତ୍ରାବାହୀ କାଞ୍ଚନଜଙ୍ଗା ଏକ୍ସପ୍ରେସର ୩ଟି ବଗି ବହୁ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି।

ସୂଚନା ଅନୁଯାୟୀ, ନିଉଜଲପାଇଗୁଡିରୁ ସିଆଲଦା ଅଭିମୁଖେ ଯାଉଥିବା କଞ୍ଚନଜଙ୍ଗା ଏକ୍ସପ୍ରେସ ରଙ୍ଗପାଣି ଓ ନିଜବାରୀ ମଧ୍ୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। କଞ୍ଚନଜଙ୍ଗା ଏକ୍ସପ୍ରେସ୍ ଟ୍ରେନ୍ ଠିଆ ହୋଇଥିବା ବେଳେ ମାଲବାହୀ ଟ୍ରେନ ସିଗନାଲ୍ ଅତିକ୍ରମ କରି କାଞ୍ଚନଜଙ୍ଗା ଟ୍ରେନର ପଛ ଭାଗ ସହିତ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ଟ୍ରେନର ୩ଟି ବଗି ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି। ଟ୍ରେନ୍‌ ଭିତରେ ଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଏନଡିଆରଏଫ, ଡିଭିଜନାଲ ଟିମ୍‌ ଏବଂ ୧୫ଟି ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାମ ଜାରି ରଖିଛନ୍ତି। ସେପଟେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ମଧ୍ଯ ଦୁର୍ଘଟଣା ସ୍ଥଳରେ ପହଞ୍ଚିଛନ୍ତି ।

ସେପଟେଏହି ଦର୍ଘଟଣା ମାନବୀୟ ତ୍ରୁଟିରୁ ହୋଇଛି ବୋଲି କହିଲେ ରେଲୱେ ବୋର୍ଡ ଅଧ୍ୟକ୍ଷ ଜୟାବର୍ମା ସିହ୍ନା। ପ୍ରାଥମିକ ଅନୁସନ୍ଧାନରୁ ମାନବୀୟ ତ୍ରୁଟିରୁ ଦୁର୍ଘଟଣା ଘଟିଛି ବୋଲି ଜଣାପଡ଼ିଛି। ସିଗ୍‌ନାଲ ମାନି ନଥିବାରୁ ଦୁର୍ଘଟଣା ଘଟିଛି।

ଅନ୍ୟପଟେ ଏହି ଦୁର୍ଘଟଣାକୁ ନେଇ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀ ଓ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି। ଏଥି ସହିତ ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିରୁ ୨ ଲକ୍ଷ ଲେଖାଏଁ ସହାୟତା ଘୋଷଣା କରାଯାଇଛି। ଆହତଙ୍କୁ ୫୦ ହଜାର ଲେଖାଏଁ ଆର୍ଥିକ ସହାୟତା ମଧ୍ୟ ଦିଆଯିବ।

ସେହିପରି ରେଳ ବିଭାଗ ପକ୍ଷରୁ ମୃତକଙ୍କ ପରିବାର ପାଇଁ ୧୦ ଲକ୍ଷ ଲେଖାଏଁ ସହାୟତା ଘୋଷଣା କରାଯାଇଛି।  ଏଥି ସହିତ ଗୁରୁତର ଆହତଙ୍କ ପାଇଁ ୨.୫ ଲକ୍ଷ ଏବଂ ସାମାନ୍ୟ ଆହତଙ୍କ ପାଇଁ ୫୦ ହଜାର ଲେଖାଏଁ ଘୋଷଣା କରାଯାଇଛି।